Delhi
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ବିଭିନ୍ନ ସ୍ଥାନରେ ହସ୍ପିଟାଲ ବେଡ୍ ବୃଦ୍ଧି କରାଯାଉଛି। ହେଲେ ଦିଲ୍ଲୀର ଦୁଇଟି ବଡ଼ ହସ୍ପିଟାଲ ହଠାତ୍ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଥିବା ବେଡ୍ ସଂଖ୍ୟାକୁ ଆଶ୍ଚର୍ଯ୍ୟ ଜନକ ଭାବେ ୪୦% ହ୍ରାସ କରିଦେଇଛନ୍ତି। ତେବେ ଅକ୍ସିଜେନର ସଙ୍କଟ ଦେଖାଯାଉଥିବାରୁ ନିଜର ଅସହାୟତା ପ୍ରକାଶ କରି ଦୁଇଟି ଯାକ ହସ୍ପିଟାଲ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୋଟିଏ ପଟେ କରୋନାର ଦ୍ରୁତ ସଂକ୍ରମଣ ସହ ରାଜଧାନୀବାସୀ ଲଢ଼ୁଛନ୍ତି, ସେଭଳି ସ୍ଥିତିରେ ହସ୍ପିଟାଲରେ ବେଡ ସଂଖ୍ୟା ହ୍ରାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନା ଅନୁସାରେ, ରାଜବୀ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରାୟ ୩୦୦ଟି ବେଡ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ଏବେ ଏହି ହସ୍ପିଟାଲରେ ମାତ୍ର ୩୫୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ। ସେହିପରି ଦିଲ୍ଲୀର ସବୁଠାରୁ ବଡ଼ କୋଭିଡ ହସ୍ପିଟାଲ ଭାବେ ଜଣାଶୁଣା ଜିଟିବି ମଧ୍ୟ ସମାନ ପଦକ୍ଷେପ ନେଇଛି।
ପୂର୍ବରୁ ଏଠାରେ ୧୫ଶହ କରୋନା ରୋଗୀଙ୍କ ପାଇଁ ବେଡ୍ ରହିଥିଲା। ଏବେ ହସ୍ପିଟାଲ କର୍ତ୍ତୃପକ୍ଷ ଅକ୍ସିଜେନ ଅଭାବରୁ ୮୦୦ଟି ବେଡ୍ ହଟାଇ ଦେଇଛି। ଏହାର ଅର୍ଥ ଏଠାରେ ସର୍ବାଧିକ ୭୦୦ କରୋନା ରୋଗୀଙ୍କ ପାଇଁ ବେଡ୍ ଖୋଲା ରହିଛି। ଜଟିବି ହସ୍ପିଟାଲକୁ କରୋନା ରୋଗୀ ଅଧିକ ସଂଖ୍ୟାରେ ଆସିଥାଆନ୍ତି।
ପୂର୍ବରୁ ଆମେ ଆପଣଙ୍କୁ ହସ୍ପିଟାଲ ବାହାରେ ରୋଗୀଙ୍କ ଧାଡ଼ି ଲାଗିଥିବା ଖବର ସମ୍ପର୍କରେ କହିଥିଲୁ। ଏବେ ବେଡ୍ ସଂଖ୍ୟା ହ୍ରାସ ପାଇଥିବାରୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ସରକାରଙ୍କ ମୋବାଇଲ ଆପ୍ରେ ମଧ୍ୟ ଉକ୍ତ ଦୁଇ ହସ୍ପିଟାଲରେ ବେଡ ସଂଖ୍ୟା ହ୍ରାସ ପାଇବା ସମ୍ପର୍କରେ ତଥ୍ୟ ରହିଛି।
ଅନ୍ୟପକ୍ଷରେ ବାତ୍ରା ହସ୍ପିଟାଲର ଏମିଡି ଡା ଏସସିଏଲ ଗୁପ୍ତା ଦିଲ୍ଲୀର କରୋନା ସଂକ୍ରମଣ ଓ ଅକ୍ସିଜେନ ସଙ୍କଟକୁ ଦେଖି କ୍ୟାମେରା ଆଗରେ କାନ୍ଦି ପକାଇଛନ୍ତି।
ସେ କହିଛନ୍ତି, ଆମେ ସମସ୍ତଙ୍କୁ ନିବେଦନ କରୁଛୁ ଯେ ଅକ୍ସିଜେନ ଥିବା ହସ୍ପିଟାଲକୁ ଲୋକମାନେ ସେମାନଙ୍କ ରୋଗୀଙ୍କୁ ନେଇ ଯାଆନ୍ତୁ। ଆମେ ବୁଝି ପାରୁଛୁ ଯେ ହସ୍ପିଟାଲରେ ଆଡମିଶନ ହେଉଥିବା ଜଣେ ରୋଗୀ କାହାର ବାପା, ମା, ଭାଇ, ଭଉଣୀ..। ଯଦି ମୁଁ ମୋର ଅତି ନିଜର ଲୋକଙ୍କୁ ହରାଇବି, ନିଶ୍ଚିତ ଭାବେ ଭାଙ୍ଗି ପଡ଼ିବି। ସମସ୍ତଙ୍କ ସହ ସେମିତି ଘଟୁଛି ବୋଲି ସେ କହିଥିଲେ। ଏତିକି ବେଳେ ସେ କ୍ୟାମେରା ସାମ୍ନାରେ ହିଁ କାନ୍ଦି ପକାଇଥିଲେ।
ଏହାପୂର୍ବରୁ ଏମ୍ସରେ ପ୍ରାୟ ଘଣ୍ଟା ଯାଏ ନୂଆ ରୋଗୀଙ୍କୁ ଆଡମିଟ କରାଯାଇ ନଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବେଡ ସଂଖ୍ୟା ବୃଦ୍ଧି କରାଯାଇ ରୋଗୀଙ୍କୁ ଭର୍ତ୍ତି କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Delhi-9.jpg)