ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନଙ୍କ ବିବାଦୀୟ ବୟାନକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ। କଂଗ୍ରେସ ଅଧ୍ୟକ୍ଷ ନିଜ ବୟାନକୁ ନେଇ କ୍ଷମା ମାଗନ୍ତୁ ବୋଲି ମଙ୍ଗଳବାର ବିଜେପି ଦାବି କରିଛି। ତେବେ କ୍ଷମା ମାଗିବାକୁ ସଫା ସଫା ମନା କରିଦେଇଛନ୍ତି ଖାଡଗେ। ନିଜ ଦେଇଥିବା ବୟାନରେ ସେ ସ୍ଥିର ରହିବେ ବୋଲି କହିଛନ୍ତି।
ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଦେଶ ସ୍ୱାଧୀନତା ପାଇବା କ୍ଷେତ୍ରରେ ବିଜେପିର ଭୂମିକାକୁ ନେଇ ଏକ ବୟାନ ଦେଇଥିଲେ। ଅଲୱରର ମାଲାଖେଡାରେ ଏକ ଜନସଭାକୁ ସମ୍ବୋଧିତ କରି ଖାଡଗେ କହିଥିଲେ, ‘ଆମେ (କଂଗ୍ରେସ) ଦେଶକୁ ସ୍ୱାଧୀନତା ଦେଇଥିଲୁ ଏବଂ ଇନ୍ଦିରା ଓ ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହାପରେ ସେ ବିଜେପିକୁ ପ୍ରଶ୍ନ କହିଥିଲେ, ଆମ ଦଳର ନେତାମାନେ ନିଜ ଜୀବନ ଦେଇଛନ୍ତି, ଆପଣ କ’ଣ କରିଛନ୍ତି? ଆପଣଙ୍କ ଘରେ କେହି ବି ଦେଶ ପାଇଁ ମରିଛନ୍ତି କି? କେହି ଜଣେ ବି କୌଣସି ବଳିଦାନ ଦେଇଛନ୍ତି କି?’
https://twitter.com/ANI/status/1605088298850201601?s=20&t=bGZpoapKLIPb9ZvYTrGKTQ
ଖାଡଗେ ଆହୁରି କହିଥିଲେ, ‘ବିଜେପି ନିଜକୁ ଦେଶଭକ୍ତ ବୋଲି ବୋଲାଉଛି । କିନ୍ତୁ ଆମେ ଯେତେବେଳେ କିଛି କହିଥାଉ, ସେତେବେଳେ ଆମକୁ ଦେଶଦ୍ରୋହୀ ବୋଲି କହୁଛି ।’ ଖାଡଗେଙ୍କ ଏହି ବୟାନକୁ ନେଇ ଏବେ ସଂସଦରେ ହଙ୍ଗମା ଆରମ୍ଭ ହୋଇଛି। ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
ଖାଡଗେ କହିଛନ୍ତି, ସଂସଦରେ ନୁହେଁ ମୁଁ ବାହାରେ ଏଭଳି ବୟାନ ଦେଇଛି ତେଣୁ ମୁଁ କ୍ଷମା ମାଗିବିନି। ସେପଟେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଖାଡଗେ ନିଜ ବୟାନରେ ଅଭଦ୍ର ଭାଷା ପ୍ରୟୋଗ କରିଥିବା ଅଭିଯୋଗ କରିଛନ୍ତି। ଏଥିସହ ସେ ତାଙ୍କୁ ଘୋର ନିନ୍ଦା କରିଛନ୍ତି। ପ୍ରହ୍ଲାଦ ଯୋଶୀ ମଧ୍ୟ ଏହି ବିବାଦୀୟ ବୟାନକୁ ନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭର୍ତ୍ସନା କରିଛନ୍ତି। ସେ କଂଗ୍ରେସକୁ ନକଲି କଂଗ୍ରେସ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।