କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ପୁଣିଥରେ କ୍ଷମତାକୁ ଆସିବା ପରଠାରୁ ଅନେକ ବଡ଼ ବଡ଼ ନେତା ଏବେ ଏହି ପାର୍ଟି ଆଡ଼କୁ ମୁହାଁଉଛନ୍ତି। ଏବେ ଏଥିରେ ଆଉ ଜଣେ ବଡ଼ ନେତାଙ୍କ ନାଁ ସାମିଲ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେପି ସାଂସଦ ବରୁଣ ଗାନ୍ଧି ଟିଏମସିରେ ସାମିଲ୍ ହେବାର ସମ୍ଭାବନା ଦେଖା ଦେଇଛି। ଆସନ୍ତା ସପ୍ତାହରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଆସିବେ। ଏହି ଗସ୍ତ ବେଳେ ମମତାଙ୍କ ସହ ବରୁଣ ଗାନ୍ଧି ସାକ୍ଷାତ କରିବେ।
ଏହା ପୂର୍ବରୁ ସୁସ୍ମିତା ଦେବୀ, ବାବୁଲ ସୁପ୍ରିୟୋ, ଲୁଇଝିନୋ ଫାଲେରୋ ଓ ଲିଆଣ୍ଡର୍ ପେସ ଟିଏମସିରେ ସାମିଲ୍ ହୋଇଥିଲେ। ତେବେ ବରୁଣ ଗାନ୍ଧି ବିଜେପି ଛାଡ଼ି ଟିଏମସିରେ ସାମିଲ ହେବେ କି ନାହିଁ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ହେଲେ ଗତ କିଛି ଦିନ ହେବ ବରୁଣ ଗାନ୍ଧି ବିଜେପି ଉପରେ ଅସନ୍ତୋଷ ଥିବା ଦେଖିବାକୁ ମିଳୁଛି। ତାଙ୍କ ମା’ ମେନକା ଗାନ୍ଧି ଓ ତାଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ମିଳିନାହିଁ। ଯେଉଁ କାରଣରୁ ଦୁହେଁ ବିଜେପି ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି।
ଟିଏମସିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ‘ବରୁଣ ଗାନ୍ଧି ଏବେ ବିଜେପି ଛାଡ଼ିବା ନେଇ ବିଚାର କରୁଛନ୍ତି। ଏଭଳି ସ୍ଥିତିରେ ତାଙ୍କୁ ଏକ ନୂଆ ରାଜନୀତିକ ମଞ୍ଚର ଆବଶ୍ୟକତା ରହିଛି। କଂଗ୍ରେସକୁ ଯିବା ତାଙ୍କ ପକ୍ଷେ ଅସମ୍ଭବ ଲାଗୁଛି। ଏପରି ସ୍ଥିତିରେ ସେ ଟିଏମସିର ଯୋଗାଯୋଗରେ ଅଛନ୍ତି।’ ସୂଚନାଯୋଗ୍ୟ, ନିକଟରେ ବରୁଣ ଗାନ୍ଧି ଲଖିମପୁର ହିଂସାର କଡ଼ା ନିନ୍ଦା କରିଥିଲେ। ମହାତ୍ମା ଗାନ୍ଧି ଜୟନ୍ତୀରେ ନାଥୁରାମ ଗଡସେଙ୍କ ବିରୋଧରେ ମଧ୍ୟ ସ୍ୱର ଉଠାଇଥିଲେ।
ଟିଏମସି ବର୍ତ୍ତମାନ ତ୍ରିପୁରା ଓ ଗୋଆ ପରେ ଆଉ ତିନି ରାଜ୍ୟ ଯଥା ଉତ୍ତର ପ୍ରଦେଶ, ଆସାମ ଓ ମଣିପୁରରେ ତା’ର ସାଂଗଠନିକ ବିସ୍ତାର ପାଇଁ ପ୍ରସ୍ତୁତି କରୁଛି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫ୍ଲୋରିୟୋ ସେପ୍ଟେମ୍ବର ୨୯ ତାରିଖରେ କୋଲକାତା ଆସି ସେଠାରେ ନିଜ ସମର୍ଥକଙ୍କ ସହ ଟିଏମସିରେ ସାମିଲ୍ ହୋଇଥିଲେ। ତାଙ୍କୁ ଟିଏମସିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅକ୍ଟୋବରରେ କଂଗ୍ରେସର ବରିଷ୍ଠ ନେତା କମଳପତି ତ୍ରିପାଠୀଙ୍କ ନାତି ରାଜେଶପତି ତ୍ରିପାଠୀ ଓ ତାଙ୍କ ପୁଅ ଲଲିତେଶପ୍ ତ୍ରିପାଠୀ ଟିଏମସିରେ ସାମିଲ୍ ହୋଇଥିଲେ। ଅନ୍ୟପକ୍ଷରେ ଫିଲ୍ମ ଅଭିନେତା ନଫିସା ଅଲୀ, ଟେନିସ୍ ଷ୍ଟାର୍ ଲିଆଣ୍ଡର ପେସ୍ ମଧ୍ୟ ମମତାଙ୍କ ଗୋଆ ଗସ୍ତରେ ଟିଏମସିରେ ସାମିଲ ହୋଇଥିଲେ।
ଅଫିସିଆଲ ସୂତ୍ର ଅନୁଯାୟୀ, ଆସନ୍ତା ୨୨ ତାରିଖରେ ମମତା ବାନାର୍ଜୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସିବେ। ସେ ୨୫ ତାରିଖରେ କୋଲକାତା ଫେରିଯିବେ। ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିପାରନ୍ତି।