ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପୁଣି ଥରେ ମେଗା ନିଯୁକ୍ତି ଦେବାକୁ ଯାଉଛି। ଏଥର ୨.୩ ଲକ୍ଷ ଲୋକଙ୍କୁ ରେଲୱେ ନିଯୁକ୍ତି ଦେବ। ଦୁଇଟି ପର୍ଯ୍ୟାୟରେ ଦୁଇ ବର୍ଷ ମଧ୍ୟରେ ଏହି ନିଯୁକ୍ତି ଦିଆଯିବ। ଏହାସହ ଏଥିରେ ଆର୍ଥିକ ଅନଗ୍ରସର ବର୍ଗ (EWS)ର ୧୦ ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଦିଆଯିବ। ବୁଧବାର ରେଲୱେ ମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି।
ଗୋୟଲ କହିଛନ୍ତି, “ଦୁଇବର୍ଷ ମଧ୍ୟରେ ମୋଟ ୪ ଲକ୍ଷ ନିଯୁକ୍ତି ଦେବାକୁ ରେଲୱେ ଯୋଜନା କରିଛି। ରେଲୱେରେ ବର୍ତ୍ତମାନ ୧୨ ଲକ୍ଷ ଲୋକ ଚାକିରି କରୁଛନ୍ତି। ପ୍ରତିବର୍ଷ ୪୦ରୁ ୫୦ ହଜାର ଚାକିରିଆ ଅବସର ନେଉଛନ୍ତି। ତେଣୁ ଆଗୁଆ ଯୋଜନା କରୁଛୁ। ଏହାଦ୍ୱାରା କୌଣସି ପଦ ଖାଲି ପଡ଼ିବ ନାହିଁ।”
ସୂଚନାଯୋଗ୍ୟ, ଦେଶରେ ପ୍ରଥମ କରି ଆର୍ଥିକ ଅନଗ୍ରସର ବର୍ଗ (EWS)ଙ୍କୁ ସଂରକ୍ଷଣ ଭିତ୍ତରେ ରେଲୱେ ଚାକିରି ଦେବାକୁ ଯାଉଛି।
ରେଲୱେ ବୋର୍ଡ ଚେୟାରମ୍ୟାନ ଭିକେ ଯାଦବ କହିଛନ୍ତି, “ପୂର୍ବରୁ ବାହାରିଥିବା ୧.୫ ଲକ୍ଷ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏହା ମାର୍ଚ୍ଚ-ଏପ୍ରିଲ୍ ମଧ୍ୟରେ ଶେଷ ହୋଇଯିବ।”
ରେଳ ବିଭାଗ ପକ୍ଷରୁ କୁହାଯାଇଛି, ପ୍ରଥମ ପର୍ଯ୍ୟାୟରେ ୨.୩ ଲକ୍ଷରୁ ୧.୩୧ ଲକ୍ଷ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଫେବୃଆରୀ-ମାର୍ଚ୍ଚରୁ ଆରମ୍ଭ ହୋଇ ୨୦୨୦ ଏପ୍ରିଲ୍-ମେ’ରେ ଶେଷ ହେବ। ଏହାପରେ ଅବସର ନେଇଥିବା ପ୍ରାୟ ୯୯,୦୦୦ ଚାକିରିଆଙ୍କ ସ୍ଥାନରେ ଏମାନଙ୍କୁ ନିଯୁକ୍ତି ଦିଆଯିବା ଆରମ୍ଭ ହେବ।