ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ମାଡ଼। ତାହା ପୁଣି ବିମାନବନ୍ଦର ଭିତରେ। ଏପରି ଘଟଣା ଘଟିଛି ଖୋଦ୍ ରାଜଧାନୀ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅର୍ନ୍ତଜାତୀୟ ବିମାନ ବନ୍ଦରରେ। ଜଣେ ଯାତ୍ରୀଙ୍କୁ ପଛରୁ ଡ଼ାକି ମାଡ଼ ମାରିଥିଲେ ଇଣ୍ଡିଗୋ ବିମାନର କର୍ମଚାରୀ।
ଏପରିକି, ବିମାନରୁ ଓହ୍ଲେଇବା ପରେ ଯାତ୍ରୀଙ୍କୁ ବସ୍ରେ ବିମାନ ବନ୍ଦର ବାହାରକୁ ଯିବାକୁ ଦେଇ ନ ଥିଲେ କର୍ମଚାରୀ। ଯାତ୍ରୀଙ୍କ ଭୁଲ ଏତିକି ଥିଲା ଯେ, କୌଣସି କାରଣରୁ ବିମାନ ସେବାକୁ ନେଇ ସେ ବିରକ୍ତି ପ୍ରକାଶ କରିଥିଲେ। ଆଉ ତାଙ୍କୁ ଭୋଗିବାକୁ ପଡ଼ିଥିଲା ପରିଣାମ ।
ତଳେ ପକାଇ ଦୁଇ ଜଣ ଇଣ୍ଡିଗୋ କର୍ମଚାରୀ ଯାତ୍ରୀ ଜଣକକୁ ପିଟିଥିଲେ। ତେବେ ଏସମସ୍ତ ଘଟଣାର ଭିଡିଓ ଭାଇରାଲ ହେବା ପରେ ତତ୍ପରତା ଦେଖାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ।ଘଟଣା ଦିନ ଇଣ୍ଡିଗୋ ବିମାନର ସମସ୍ତ କର୍ମଚାରୀଙ୍କୁ ସମନ୍ ଜାରି କରିଛନ୍ତି ମନ୍ତ୍ରୀ। ଘଟଣାକୁ ନିନ୍ଦା କରିବା ସହ ବିଭାଗୀୟ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ମନ୍ତ୍ରୀ । ସେପଟେ ଘଟଣା ପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି।