ଶ୍ରୀନଗର: ଆତଙ୍କବାଦୀ ଅଫଜଲ୍ ଗୁରୁର ଫାଶୀର ବର୍ଷ ପୂର୍ତ୍ତିରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ କଟକଣା ଜାରି କରାଯାଇଛି। କୌଣସି ଅଘଟଣର ଆଶଙ୍କା ରହିଥିବାରୁ ପ୍ରଶାସନ ଏଭଳି କଟକଣା ଜାରି କରିଛନ୍ତି। ୨୦୦୧ ମସିହାର ସଂସଦ ଆକ୍ରମଣ ଘଟଣାର ଦୋଷୀ ଅଫଜଲକୁ ୨୦୧୩ ମସିହା ଫେବୃଆରୀ ୯ରେ ଫାଶୀ ଦିଆଯାଇଥିଲା।
ଜମ୍ମୁ କଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେକେଏଲ୍ଏଫ୍) ଅଫଜଲ ଗୁରୁର ମୃତ୍ୟୁ ବାର୍ଷିକୀରେ ଏବଂ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ (ଏନ୍ଏଲ୍ଏଫ୍)ର ପ୍ରତିଷ୍ଠାତା ମକବୁଲ ଭଟ୍ଟର ମୃତ୍ୟୁ ବାର୍ଷିକୀରେ ଯଥାକ୍ରମେ ଫେବୃଆରୀ ୯ ଏବଂ ୧୧ ତାରିଖରେ ବନ୍ଦ ଡାକରା ଦେଇଛି। ସୂଚନାଯୋଗ୍ୟ ଯେ, ବିଚ୍ଛିନ୍ନତାବାଦୀ ମକବୁଲ ଭଟ୍ଟକୁ ୧୯୮୫ ମସିହାରେ ତିହାର ଜେଲରେ ଫାଶୀ ଦିଆଯାଇଥିଲା।
ଆଜି ଜମ୍ମୁ-କଶ୍ମୀରରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଥିବାବେଳେ ଶ୍ରୀନଗରରେ ଦୋକାନ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଫଳରେ ସହରରେ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପୁଲିସ୍ ଜେକେଏଲ୍ଏଫ୍ ନେତାଙ୍କ ନାମରେ ଏଫ୍ଆଇଆର ରୁଜୁ କରିଛି।