ନୂଆଦିଲ୍ଲୀ: ଦେଶର ୭ ଜଣ ସାଂସଦ ଓ ୯୮ ଜଣ ବିଧାୟକଙ୍କର ଅହେତୁକ ସଂପତ୍ତି ଥିବା ନେଇ ତଦନ୍ତ ଚାଲିଛି ବୋଲି ଆଜି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟାକ୍ସେସ୍ (ସିବିଡିଟି) ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଏହି ୭ ଜଣ ଯାକ ସାଂସଦ ଲୋକସଭାର।
ସିବିଡିଟି କହିଛି ଯେ ଏହା ଆସନ୍ତାକାଲି ତିନି ଜଣ ଲୋକସଭା ସାଂସଦଙ୍କ ନାମ ସହିତ ବିଧାୟକଙ୍କ ନାମଗୁଡ଼ିକୁ ଏକ ବନ୍ଦ ଲପାଫାରେ ସୁପ୍ରିମ୍କୋର୍ଟଙ୍କୁ ଦେବ। ଆୟକର ବିଭାଗ ଏ ପ୍ରସଙ୍ଗରେ ପ୍ରାଥମିକ ତଦନ୍ତ କରି ରିପୋର୍ଟ ଦେଇଛି। ଏହି ରିପୋର୍ଟ ଅନୁସାରେ ଏହି ଜନପ୍ରତିନିଧିମାନଙ୍କର ସଂପତ୍ତିରେ ଅହେତକୁ ବୃଦ୍ଧି ହୋଇଛି।
ଲକ୍ଷ୍ନୌର ଏକ ଏନ୍ଜିଓ ‘ଲୋକ୍ ପ୍ରହରୀ’ର ଅଭିଯୋଗ କ୍ରମେ ଆୟକର ବିଭାଗ ପକ୍ଷରୁ ଏହି ପ୍ରାଥମିକ ତଦନ୍ତ କରାଯାଇଥିଲା। ୨୬ ଜଣ ଲୋକସଭା ସାଂସଦ, ୧୧ ଜଣ ରାଜ୍ୟସଭା ସାଂସଦ ଓ ୨୫୭ ଜଣ ବିଧାୟକଙ୍କର ସଂପତ୍ତିରେ ଅସ୍ୱାଭାବିକ ବୃଦ୍ଧି ହୋଇଥିବା ନେଇ ଅଭିଯୋଗ କରିଥିଲା।
ଆଉ ୯ଜଣ ଲୋକସଭା ସାଂସଦ, ୧୧ ରାଜ୍ୟସଭା ସାସଂଦ ଓ ୪୨ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟାୟନ କରାଯାଉଛି ବୋଲି ସିବିଡିଟି କୋର୍ଟଙ୍କୁ ଆଜି କହିଛନ୍ତି।