ଇସଲାମାବାଦ୍: କଶ୍ମୀରରେ ଏବଂ ସମଗ୍ର ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପୁଣି ପ୍ରୟାସ ଆରମ୍ଭ କରିଛି ପାକିସ୍ତାନ। ପାକିସ୍ତାନ ସଂସଦରେ ସାଂସଦମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଭାରତ ବିରୋଧରେ ‘ଜିହାଦ୍’ ପାଇଁ ଆହ୍ୱାନ କରିଛନ୍ତି। ସେମାନେ କହିଛନ୍ତି ଆସନ୍ତା ୧୦ ତାରିଖକୁ ଯୁଦ୍ଧ ତାରିଖ ବୋଲି ଘୋଷଣା କରାଯାଉ।
ପାକିସ୍ତାନର ଖବରକାଗଜ ଦି ଡନ୍ ଅନୁଯାୟୀ ଜାମିଅ ଉଲେମା ଇ ଇସଲାମ୍ ଫଜଲ ପାକିସ୍ତାନ ସରକାରଙ୍କୁ ଆହ୍ୱାନ କରିଛି ଏହା ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରୁ। ଏହି ଦଳର ନେତା ମୌଲାନା ଅବ୍ଦୁଲ ଆକବର ଚିତ୍ରାଲି କହିଛନ୍ତି, ଇମ୍ରାନ୍ ଖାନ୍ ଘୋଷଣା କରିବା କଥା ପାକିସ୍ତାନ ଫେବୃଆରୀ ୧୦ ପରଠାରୁ ଭାରତ ବିରୋଧରେ ଯୁଦ୍ଧ କରିବ।
ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କୁ କଶ୍ମୀର ସମସ୍ୟାର ସମାଧାନ କରିବାକୁ ବାଧ୍ୟ କରିବ। ଚିତ୍ରାଲିଙ୍କ ଏହି ଆହ୍ୱାନକୁ ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିର ବେଶ କିଛି ସଦସ୍ୟ ସ୍ୱାଗତ ମଧ୍ୟ କରିଥିଲେ।
ଏପରିକି ୩ ଘଣ୍ଟାର ଅଧିବେଶନ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଲୀ ମହମ୍ମଦ ଖାନ୍ ତାଙ୍କ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ, ଭାରତ ଉପରେ ଆକ୍ରମଣ କରି ଜମ୍ମୁ-କଶ୍ମୀରକୁ ଛଡ଼ାଇନେବା ପାଇଁ ଏକ ଯୋଜନା ହେବା ଦରକାର। ତେବେ ଇମ୍ରାନ୍ ଏଯାଏ କୌଣସି ଉତ୍ତର ରଖିନାହାନ୍ତି।