ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲିସ ଆଜି ତିନି ଅଟକ ନେତା ୟୱର ମୀର୍, ନୂର ମହମ୍ମଦ ଓ ସୋଏବ ଲୋନଙ୍କୁ ମୁକ୍ତ କରିଛି । ଅଗଷ୍ଟ ୫ରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ନେତା ସମେତ ଅନେକ ନେତାଙ୍କୁ ପ୍ରଶାସନ ନିଜ ହେପାଜତକୁ ଆଣି ଗୃହବନ୍ଦୀ କରି ରଖିଥିଲା। ଏବେ ସ୍ଥିତି ସ୍ୱାଭାବିକ ହେଉଥିବା ଦେଖି ଧୀରେ ଧୀରେ ସମସ୍ତଙ୍କୁ ପ୍ରଶାସନ ମୁକ୍ତ କରୁଛି। ଜେଲରୁ ମୁକୁଳିବା ବେଳେ ଭଲ ବ୍ୟବହାର କୌଣସି ହିଂସା କାର୍ଯ୍ୟରେ ସାମିଲ୍ ହେବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି ଏହି ତିନି ନେତା।
ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରର ପାଖାପାଖି ୨୫୦ ନେତାଙ୍କୁ ପୁଲିସ ଗୃହବନ୍ଦୀ କରି ରଖିଥିଲା। ଏମାନଙ୍କ ମଧ୍ୟରୁ ନ୍ୟାଶନାଲ କନଫରେନସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ପବ୍ଲିକ ସେଫଟି ଆକ୍ଟରେ ଅଟକ ରହିଛନ୍ତି। ଅନ୍ୟମାନେ କିନ୍ତୁ ଅଲଗା ଅଲଗା ମାମଲାରେ ଅଟକ ରହିଥିଲେ। ଧାରା ୩୭୦ ଉଚ୍ଛେଦ ହେବାକୁ ୬୫ ଦିନ ବିତିଛି। ହେଲେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସ ନେତା ଉମର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି କେବେ ମୁକ୍ତ ହେବେ ତାହା ସ୍ପଷ୍ଟ ହୋଇନାହିଁ।