କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ମଙ୍ଗଳବାର ଏକ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୪୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। କାବୁଲର ଏକ ବ୍ୟସ୍ତବହୁଳ ବଜାର ଅଞ୍ଚଳ ତଥା ଆଇନ ମନ୍ତ୍ରଣାଳୟ ନିକଟରେ ହୋଇଥିଲା ଏହି ବିସ୍ଫୋରଣ ଘଟିଥିଲା ବୋଲି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ସେଦିକ୍ ସେଦିକି କହିଛନ୍ତି।
ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ପାଖରେ ଥିବା ଆଇନ ମନ୍ତ୍ରଣାଳୟର କୋଠା ସମେତ ଆଖପାଖ ଘରଗୁଡ଼ିକର ଝରକା ଆଦି ଥରି ଯାଇଥିଲା ଓ ଅନେକ କାଚ ଝରକା ଭାଙ୍ଗି ଯାଇଥିଲା। ତେବେ ଖବର ଲେଖାଯିବା ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରି ନଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ କାବୁଲରେ ଏକ ଗେଷ୍ଟ୍ ହାଉସରେ ତାଲିବାନୀ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୪ ଜଣ ଭାରତୀୟଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ଆଫଗାନିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଟାର୍ଗେଟ କରି କରାଯାଇଥିଲା ବୋଲି କୁହାଯାଇଥିଲା। ସେହିପରି ଗତ ୧୭ ତାରିଖରେ ଆଫଗାନରେ ଥିବା ୟୁରୋପିଆନ୍ ସଂଘର ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଏକ ଆତ୍ମଘାତୀ କାର ବୋମା ବିସ୍ଫୋରଣ କରାଯାଇଥିଲା। ଏଥିରେ ଦୁଇ ଜଣ ଆଫଗାନ ଯୁବତୀଙ୍କ ସହିତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା।