ବେଙ୍ଗାଲୁରୁ: ଦୁଇ ସପ୍ତାହରେ ଧରି କର୍ଣ୍ଣାଟକାରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ୱାମୀ ସରକାର ବିଜେପି ପାଖରୁ ପରାଜୟ ବରଣ କରିଛି। ଆସ୍ଥା ଭୋଟରେ ଜେଡିଏସ-କଂଗ୍ରେସ ମେଣ୍ଟକୁ ୯୯ ଓ ବିଜେପିକୁ ୧୦୫ ଜଣ ବିଧାୟକ ସମର୍ଥନ କରିଥିଲେ। କୁମାରସ୍ୱାମୀ କ୍ଷମତାଚ୍ୟୁତ ହେବା ପରେ କର୍ଣ୍ଣାଟକ ରାଜନୀତି ଇତିହାସରେ ହିସାବ ବରାବର ହୋଇଛି ବୋଲି କୁହାଯାଉଛି। ୧୨ ବର୍ଷ ତଳେ କୁମାରସ୍ୱାମୀ ଏହି ଭଳି ଭାବରେ ବିଜେପି ଓ କଂଗ୍ରେସ ସରକାରର ପତନର କାରଣ ହୋଇଥିଲେ।
୨୦୦୪ରେ କଂଗ୍ରେସ ସରକାରର ପତନର କାରଣ ସାଜିଥିଲେ କୁମାରସ୍ୱାମୀ
୨୦୦୪ରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ୨୨୪ ଆସନରୁ ବିଜେପି ୭୯, କଂଗ୍ରେସ ୬୫, ଜେଡିଏସ ୫୮ ଏବଂ ଅନ୍ୟାନ୍ୟ ଦଳ ୨୩ଟି ଆସନରେ ବିଜୟୀ ହୋଇଥିଲେ। ଅର୍ଥାତ୍ ୨୦୦୪ରେ କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳିନଥିଲା। କିନ୍ତୁ କଂଗ୍ରେସ-ଜେଡିଏସ ମେଣ୍ଟ କରି ସରକାର ଗଢ଼ିଥିଲେ। କଂଗ୍ରେସର ଧରମ ସିଂହ ୨୮ ମେ ୨୦୦୪ରେ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ମେଣ୍ଟ ସରକାର ବେଶୀ ଦିନ ଚାଲିନଥିଲା। କାରଣ ୨ ବର୍ଷ ପରେ କୁମାରସ୍ୱାମୀ କଂଗ୍ରେସକୁ ଦେଇଥିବା ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ସେବେର ରାଜନୀତିକ ସ୍ଥିତି ଓ ଏବେର ସ୍ଥିତି ଠିକ୍ ସମାନ ଥିଲା ବୋଲି ଜଣାପଡ଼ିଛି।
ବିଜେପି ସହିତ ଜେଡିଏସର ମେଣ୍ଟ
ଧରମ ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବିଜେପି ସହିତ ମେଣ୍ଟ କରିଥିଲେ କୁମାରସ୍ୱାମୀ। ଏହାପରେ ୨୦୦୬ରେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କୁମାରସ୍ୱାମୀ। କିନ୍ତୁ ସମର୍ଥନ ବେଳେ ସର୍ତ୍ତ ଥିଲା ଯେ ଉଭୟ ଦଳର ନେତା ସମାନ ସମାନ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ପ୍ରଥମେ କୁମାରସ୍ୱାମୀ ବିଜେପି ସହିତ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ କୁମାରସ୍ୱାମୀ ନିଜ କାର୍ଯ୍ୟକାଳ ଶେଷ କରିବା ପରେ ବିଜେପିର ପାଳି ଆସିବା ବେଳକୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ କୁମାରସ୍ୱାମୀ। ଏହାପରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କରି ଦେଇଥିଲେ।
୨୦୦୭ରେ ବିଜେପି ସରକାର
କୁମାରସ୍ୱାମୀ ଇସ୍ତଫା ଦେବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହାରି ଭିତରେ ବିଜେପି ସରକାର ଗଢ଼ିବ ବୋଲି ଦାବି କରିଥିଲା। ୧୨ ନଭେମ୍ୱର ୨୦୦୭ରେ ବିଏସ୍ ୟେଦ୍ଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଥିଲା। କୁମାରସ୍ୱାମୀଙ୍କ ଜେଡିଏସ ବିଜେପିକୁ ବାହାରୁ ସମର୍ଥନ କରିଥିଲା। କିନ୍ତୁ ସପ୍ତାହକ ପରେ କୁମାରସ୍ୱାମୀ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ୟେଦ୍ଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ହରାଇବାକୁ ପଡ଼ିଥିଲା।
୧୨ ବର୍ଷ ପରେ ପୁଣି ଓଲଟିଲା ରାଜନୀତିକ ଚିତ୍ର
୨୦୧୮ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ରାଜନୀତିକ ଦୃଶ୍ୟପଟ ୧୨ ବର୍ଷ ପରେ ଲେଉଟିଥିବା ଦେଖିବାକୁ ମିଳିଥିଲା। ୨୦୧୮ରେ ମଧ୍ୟ କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳିନଥିଲା। ଏହାପରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ହୋଇଥିଲା। କିନ୍ତୁ ଏହି ଦୁଇ ଦଳର ମୋଟ ୧୬ ବିଧାୟକ ବିଦ୍ରୋହୀ ହେବା ପରେ ଆସ୍ଥା ଭୋଟରେ ହାରିଯାଇଥିଲେ କୁମାରସ୍ୱାମୀ। ଅର୍ଥାତ୍ କୁମାରସ୍ୱାମୀଙ୍କୁ ମଧ୍ୟ ରାଜନୀତିକ ଘଡ଼ିସନ୍ଧି ମୁହୂର୍ତ୍ତର ସାମ୍ନା କରିବାକୁ ପଡ଼ିଥିଲା। ଯେମିତି ଧରମସିଂହ ଏବଂ ୟେଦ୍ଦୁରପ୍ପାଙ୍କୁ କରିବାକୁ ପଡ଼ିଥିଲା। ଏବେ ବିଜେପି ଓ କଂଗ୍ରେସ ଦୀର୍ଘ ୧୨ ବର୍ଷ ପରେ ସେ ହିସାବକୁ ବରାବର କରିଥିବା ଜଣାପଡ଼ୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।