ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର କଡ଼ା ସୁରକ୍ଷା ବଳୟରେ ମେଣ୍ଟ ସରକାରର ୧୦ ଜଣ ବିଦ୍ରୋହୀ ବିଧାୟକ କର୍ଣ୍ଣାଟକା ବିଧାନସୌଧ ସ୍ଥିତ ବାଚସ୍ପତିଙ୍କ ଚ୍ୟାମ୍ବରରେ ପହଞ୍ଚିଛନ୍ତି। ସେମାନେ ସେଠାରେ ପୁଣିଥରେ ନିଜର ଇସ୍ତଫାପତ୍ର ଲେଖି ବାଚସ୍ପତିଙ୍କୁ ଦେଇଛନ୍ତି। ଯଦି ଏହି ଇସ୍ତଫାପତ୍ର ଗୃହୀତ ହୋଇଯାଏ, କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତା ହରାଇବ। ଏପରି ସ୍ଥିତି ଉପୁଜିଲେ ବିଜେପି ସରକାର ଗଠନ ପାଇଁ ଦାବି କରିବା ପାଇଁ ସୁଯୋଗ ସୃଷ୍ଟି ହେବ। ଆଜି ତାଙ୍କ ସହ ପ୍ରାୟ ଏକ ଘଣ୍ଟାର ବୈଠକ ପରେ ଏହି ବିଧାୟକମାନେ ଇସ୍ତଫାପତ୍ର ଦେଇଥିବା ନିଜେ ବାଚସ୍ପତି ଘୋଷଣା କରିଛନ୍ତି।
ପୂର୍ବରୁ ଦିଆଯାଇଥିବା ଇସ୍ତଫାପତ୍ର ଭୁଲ ଫର୍ମାଟ୍ରେ ଥିଲା ବୋଲି ଇସ୍ତଫା ଗ୍ରହଣ ହୋଇନଥିଲା। ତେବେ ଏଥର ଏହି ଇସ୍ତଫା ପତ୍ର ଗ୍ରହଣ କରାଯିବ କି ନାହିଁ ପଚରା ଯିବାରୁ ବାଚସ୍ପତି କୁମାର କହିଥିଲେ, "ମୁଁ ବିଜୁଳି ବେଗରେ କାମ କରିବି ବୋଲି ଆଶା କରନ୍ତୁନାହିଁ। ମୋତେ ସମ୍ବିଧାନର ପ୍ରକ୍ରିୟା ଦେଇ କାମ କରିବାକୁ ହେବ। ମୁଁ ରାତିସାରା ଏହି ଇସ୍ତଫାପତ୍ର ଗୁଡ଼ିକୁ ଅନୁଧ୍ୟାନ କରିବି ଏବଂ ଏସବୁ ଠିକ୍ ଅଛି କି ନା ପରଖିବି।"
ବିଦ୍ରୋହୀ ବିଧାୟକମାନେ ଆଜି ସଂଧ୍ୟା ୬ଟା ସୁଦ୍ଧା ବାଚସ୍ପତି ରମେଶ କୁମାରଙ୍କୁ ଭେଟିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ବିଧାୟକଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଦେଶର ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବିଧାୟକଙ୍କ ଇସ୍ତଫା ସଂକ୍ରାନ୍ତ ବାଚସ୍ପତିଙ୍କ ନିଷ୍ପତ୍ତି ଆସିବା ପରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଜେଡିଏସ ଏବଂ କଂଗ୍ରେସର ବିଦ୍ରୋହୀ ବିଧାୟକ ଇସ୍ତଫା ଦେଇ ମୁମ୍ବାଇ ପଳାଇ ଆସିଥିଲେ। ହେଲେ ବାଚସ୍ପତି ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିନଥିଲେ। ବାଚସ୍ପତି ଶାସକ ମେଣ୍ଟ ଦଳଙ୍କୁ ସହଯୋଗ କରୁଥିବା ଇସ୍ତଫା ଦେଇଥିବା ୧୦ ବିଧାୟକ ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।