ହାସନ୍: ପୂର୍ବତନ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ କହିଛନ୍ତି ସେ ରାଜନୀତି ଛାଡ଼ିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ସହିତ ତାଙ୍କ ଦଳ ଜେଡିଏସ୍ର ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ମଧ୍ୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ୧୪ ମାସର ଏହି ସରକାର ବିଧାନସଭାରେ ଆସ୍ଥା ଭୋଟ୍ରେ ପରାଜୟ ଲାଭ କରିବା ପରେ ଭାଙ୍ଗିଯାଇଥିଲା। ଏହା ପୂର୍ବରୁ ବେଶ୍ କିଛି ସପ୍ତାହ ଧରି କର୍ଣ୍ଣାଟକାରେ ରାଜନୀତିକ ସଙ୍କଟ ଲାଗି ରହିଥିଲା।
ସେ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଏସବୁରୁ ଦୂରେଇ ଯିବାକୁ ଚାହେଁ। ମୁଁ ଅକସ୍ମାତ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲି ଏବଂ ରାଜନୀତିକୁ ଆସିଥିଲି। ଭଗବାନ ମୋତେ ୨ ଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଛନ୍ତି। ମୁଁ ଜାଣିପାରିଛି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି କରିନାହିଁ। ମୁଁ ଗୋଟିଏ ପାଦ ପଛକୁ ଆସିବାକୁ ଚାହେଁ।”
ସେ ଆହୁରି ମଧ୍ୟ କହିଛନ୍ତି, “ଏପରିକି ଆଜି ମୋ ବାପା (ଏଚ୍ଡି ଦେବେଗୌଡ଼ା) ଲଢ଼େଇ ଛାଡ଼ିନାହାନ୍ତି। ତାଙ୍କର ହୁଏତ ଏଥିପାଇଁ ଧୈର୍ଯ୍ୟ ଥାଇପାରେ। କିନ୍ତୁ ବର୍ତ୍ତମାନ ଯାହା ଚାଲିଛି, ମୁଁ ଭାବୁନି ଯେ ଏଥିରେ ମୁଁ ବେଶିଦିନ ରହିପାରିବି।”
ହାସନ୍ ଜିଲ୍ଲାରେ ଗଣମାଧ୍ୟମକୁ ସେ କହିଛନ୍ତି, “ଆଜି ରାଜନୀତି ଆଉ ଲୋକଙ୍କ ପାଇଁ ଭଲ ହୋଇନାହିଁ। ଏବେ ଜାତିର ରାଜନୀତି ଚାଲିଛି ଏବଂ ପ୍ରତିଶୋଧ ପରାୟଣତାର ରାଜନୀତି ଚାଲିଛି। ମୁଁ କ’ଣ ଏସବୁକୁ ଠିକ୍ କରି ପାରିଥା’ନ୍ତି? ଭଗବାନ ଏହାର ଦାୟିତ୍ୱ ନେବେ। ପ୍ରକୃତରେ ମୁଁ ଏସବୁରେ ନିରାଶ ହୋଇଛି ଏବଂ ଶାନ୍ତିରେ ବଞ୍ଚିବାକୁ ଚାହୁଁଛି। ମୁଁ ସୁଯୋଗ ପାଇଥିଲି, ଯଥାସାଧ୍ୟ ଭଲ କାମ ପାଇଁ ଉଦ୍ୟମ କରିଛି। ମୁଁ କ୍ଷମତାରେ ନୁହେଁ ଲୋକଙ୍କ ଭିତରେ ସ୍ଥାନ ଖୋଜୁଥିଲି, ସେଥିରେ ମୁଁ ସନ୍ତୁଷ୍ଟ।”