ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ କରୁଣାନିଧିଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। କରୁଣାନିଧିଙ୍କ ଶରୀରର ପ୍ରମୁଖ ଅଙ୍ଗ ପ୍ରତ୍ୟଙ୍ଗ କାମ କରୁନି। ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲ ପକ୍ଷରୁ ଜାରି ବୁଲେଟିନ୍ରେ ଏହି ସୂଚନା ଦିଆଯାଇଛି ।
ଶରୀରର ପ୍ରମୁଖ ଅଙ୍ଗ ଠିକ୍ ଭାବେ କାମ କରୁନଥିବା ସୂଚନା ଦେଇଛନ୍ତି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର। କରୁଣାନିଧିଙ୍କ ଚିକିତ୍ସା ବର୍ତ୍ତମାନ ପାଇଁ ଡାକ୍ତରଙ୍କ ଲାଗି ଏକପ୍ରକାର ଚ୍ୟାଲେଞ୍ଜ ବୋଲି କୁହାଯାଇଛି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।
ଏପଟେ କାବେରୀ ହସ୍ପିଟାଲ୍ ସମ୍ମୁଖରେ କରୁଣାନିଧିଙ୍କ ସମର୍ଥକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଗତକାଲି ରାତି ସାରା ହସ୍ପିଟାଲ୍ ବାହାରେ ଲୋକଙ୍କ ଭିଡ଼ ଜମି ରହିଥିଲା। ଘଟଣାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
୯୪ ବର୍ଷୀୟ କରୁଣାନିଧିଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୮ରୁ ତାମିଲନାଡୁର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।