କାହିଁକି ରାମନାଥଙ୍କୁ ବାଛିଲେ ମୋଦି: ଜାଣନ୍ତୁ ୮ଟି ପଏଣ୍ଟ

ସବୁଥର ପରି ଏଥର ବି ଦେଶବାସୀଙ୍କୁ ରାଜନୈତିକ ଝଟ୍‌କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ସେ ଝଟ୍‌କା ହେଲେ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ। ରାଷ୍ଟ୍ରିପତି ପ୍ରାର୍ଥିତ୍ବ ପାଇଁ ଅନେକ ନେତାଙ୍କ ନାଁ ଶୁଣିବାକୁ ମିଳୁଥିଲା। ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଷୀ ଓ ସୁମିତ୍ରା ମହାଜନ ପ୍ରମୁଖ ଥିଲେ ରେସ୍‌ରେ। କିନ୍ତୁ ଏତେସବୁ ପରେ ମୋଦି କାହିଁକି ବାଛିଲେ ରାମନାଥଙ୍କୁ ଆସନ୍ତୁ ଜାଣିବା। ୧. ଦଳିତ ଚେହେରା କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି […]

kovind

Rakesh Mallick
  • Published: Tuesday, 20 June 2017
  • , Updated: 20 June 2017, 02:02 PM IST

ସବୁଥର ପରି ଏଥର ବି ଦେଶବାସୀଙ୍କୁ ରାଜନୈତିକ ଝଟ୍‌କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ସେ ଝଟ୍‌କା ହେଲେ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ। ରାଷ୍ଟ୍ରିପତି ପ୍ରାର୍ଥିତ୍ବ ପାଇଁ ଅନେକ ନେତାଙ୍କ ନାଁ ଶୁଣିବାକୁ ମିଳୁଥିଲା। ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଷୀ ଓ ସୁମିତ୍ରା ମହାଜନ ପ୍ରମୁଖ ଥିଲେ ରେସ୍‌ରେ। କିନ୍ତୁ ଏତେସବୁ ପରେ ମୋଦି କାହିଁକି ବାଛିଲେ ରାମନାଥଙ୍କୁ ଆସନ୍ତୁ ଜାଣିବା।

୧. ଦଳିତ ଚେହେରା

କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ଦଳିତ ଭୋଟବ୍ୟାଙ୍କକୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଛି। ଲୋକସଭା ଓ ୟୁପି ବିଧାନସଭାରେ ଦଳିତ ସମୁଦାୟ ଯେପରି ବିଜେପିକୁ ସମର୍ଥନ ଦେଇଛନ୍ତି ଏହାକୁ ଦଳ ହାତଛଡା କରିବାକୁ ଚାହୁଁ ନାହିଁ। ଏହି ଦୃଷ୍ଟିରୁ ଦଳ ଦଳିତଙ୍କ ନେତା କୁହାଯାଉଥିବା କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। କୋବିନ୍ଦଙ୍କ ଜରିଆରେ ଦଳ ‘ସବ୍‌କା ସାଥ, ସବ୍‌କା ବିକାଶ’ ନାରାକୁ ମଧ୍ୟ ଆଗକୁ ନେବାକୁ ଯୋଜନା ରଖିଛି।

୨. ବିରୋଧୀ ଚୁପ୍

କୋବିନ୍ଦ ପ୍ରାର୍ଥୀ ହେବା ପରେ ଅଡୁଆରେ ପଡ଼ି ଯାଇଛନ୍ତି ବିରୋଧୀ। କାରଣ ଯେଉଁ ଦଳ ଏବେ କୋବିନ୍ଦଙ୍କୁ ବିରୋଧ କରିବ, ସେ ଦଳ ଦଳିତ ବିରୋଧୀ ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯିବ। ଏପରି ଭୁଲ କୌଣସି ଦଳ କରିବାକୁ ଚାହିଁବେ ନାହିଁ। ଯେହେତୁ ରାମାନଥ ଜଣେ ଦଳିତ ପ୍ରାର୍ଥୀ ମାୟାବତୀ ମଧ୍ୟ ତାଙ୍କୁ ବିରୋଧ କରି ନପାରନ୍ତି। ସେହିପରି କୋବିନ୍ଦ ବିହାରର ରାଜ୍ୟପାଳ ଥିବାରୁ ନିତୀଶ କୁମାରଙ୍କ ସରକାରର ସମର୍ଥନ ମଧ୍ୟ ତାଙ୍କୁ ମିଳିବ ବୋଲି ଆଶା କରାଯାଉଛି।

୩. ଲମ୍ବା ରାଜନୈତିକ ଅନୁଭବ

ରାଜନୈତିକ ଅନୁଭବକୁ ହିସାବକୁ ନେଲେ କୋବିନ୍ଦ ବହୁତ ଆଗରେ। ସେ ରାଜ୍ୟସଭାରେ ୧୨ ବର୍ଷ ସାଂସଦ ରହିଛନ୍ତି। ବିଜେପି ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ବି ରହି ସାରିଛନ୍ତି। ଏହାସହ କିଛିଦିନ ପାଇଁ ଦଳର ମୁଖପାତ୍ର ମଧ୍ୟ ହୋଇଥିଲେ। ଦୁଇବର୍ଷ ଧରି ସେ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି।

୪. ଆଇନ ବିଶେଷଜ୍ଞ

ରାମନାଥ କୋବିନ୍ଦ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି କରି ସାରିଛନ୍ତି। ଆଇନ କାନନୁକୁ ନେଇ ତାଙ୍କର ରହିଛି ବହୁତ ଜ୍ଞାନ। କାନପୁର ୟୁନିଭର୍ସିଟିରୁ ବି-କମ୍‌ ଓ ଏଲ୍‌ଏଲ୍‌ବି କରିବା ପରେ କୋବିନ୍ଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ୧୬ ବର୍ଷ ଓକିଲାତି କରିଛନ୍ତି।

୫. ସର୍ବସମ୍ମତ ମିଳିବାର ସମ୍ଭାବନା

ଆଡଭାନୀ, ଯୋଷୀ କିମ୍ବା ଆଉ କୌଣସି ନେତାଙ୍କୁ ବିଜେପି ପ୍ରାର୍ଥୀ କରିଥିଲେ, ବିରୋଧୀଙ୍କ ସମର୍ଥନ ମିଳିବାରେ ସମସ୍ୟା ହୋଇଥାନ୍ତା। ହେଲେ ରାମନାଥ କୋବିନ୍ଦ ପ୍ରାର୍ଥୀ ହେବାପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ରାମନାଥ ଶାନ୍ତ ଓ ମେଳାପି ସ୍ୱଭାବର ହୋଇଥିବାରୁ ଦଳମତ ନିର୍ବିଶେଷରେ ତାଙ୍କ ଭାବମୂର୍ତ୍ତି ସବୁଠି ଭଲ ରହିଛି। ବିରୋଧୀ ଦଳର ବହୁ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି। ଏହି କାରଣରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ସମସ୍ତଙ୍କ ସମର୍ଥନ ମିଳିବା ଆଶା ରହିଛି।

୬. ବିଦେଶ ଅନୁଭବ

ଦୁଇଥର ରାଜ୍ୟସଭା ସାଂସଦ ଥିବାବେଳେ କୋବିନ୍ଦ ବିଭିନ୍ନ ଦେଶକୁ ଯାଇଛନ୍ତି। ସେ ଗଭର୍ଣ୍ଣର୍ସ ଅଫ୍‌ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟର ସଦସ୍ୟ ରହି ସାରିଛନ୍ତି। ୨୦୦୨ରେ ଜାତିସଂଘରେ ଉଦ୍‌ବୋଧନ ଦେଇ ସାରିଛନ୍ତି।

୭. ବିବାଦଠାରୁ ଦୂରରେ

କେବେବି ବିବାଦରେ ଛନ୍ଦି ହୋଇ ନାହାଁନ୍ତି କୋବିନ୍ଦ। ଦଳରେ ପ୍ରାୟ ସବୁ ପଦ ପଦବୀରେ ସେ ରହି ସାରିଛନ୍ତି। ଏହାସହ ରାଜ୍ୟସଭାର ଏକାଧିକ କମିଟିରେ ମଧ୍ୟ ସଦସ୍ୟ ହୋଇଛନ୍ତି। ହେଲେ ବିବାଦ କେବେ ତାଙ୍କୁ ଛୁଇଁ ପାରିନାହିଁ।

୮. ସ୍ୱଚ୍ଛ ଭାବମୂର୍ତ୍ତି

କାନପୁରର ଏକ ଦଳିତ ପରିବାରରେ ଜନ୍ମ ହୋଇଥିବା ରାମନାଥ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ପାଇଁ ଲୋକପ୍ରିୟ। ଏହାସହ ସେ ତୃଣମୂଳ ସ୍ତରରେ ଲୋକଙ୍କ ସହ ସମ୍ପର୍କ ରଖିଛନ୍ତି। ସାରା ଜୀବନ ତାଙ୍କର ଗରିବ ଓ ଅସହାୟଙ୍କ ପାଇଁ ସଂଘର୍ଷ ଜାରି ରହିଛି। ଆଜିକାଲି ପ୍ରାୟ ସବୁ ରାଜନେତା ହାଇକ୍ଲାସ୍‌ ଜୀବନ ବିତାଉଥିବା ବେଳେ କୋବିନ୍ଦ ସାଧାରଣ ଜୀବନ ପସନ୍ଦ କରନ୍ତି । ଏପରିକି ଗାଁରେ ଥିବା ପୈତୃକ ଘରକୁ ସେ ଦାନରେ ଦେଇ ଦେଇଛନ୍ତି।

Related story