ଶ୍ରୀନଗର: ଜମ୍ମୁ କଶ୍ମୀରରେ ସେନାକୁ ବଡ଼ ସଫଳତା। କୁପଓ୍ୱାଡା ଜିଲ୍ଲାର ହନ୍ଦଓ୍ୱାରାରେ ଦୁଇ ଆତଙ୍କବାଦୀଙ୍କ ମୁଣ୍ଡ ନେଇଛନ୍ତି ଯବାନ। ଯେଉଁଥିରେ ଲଶ୍କରର ଟପ୍ କମାଣ୍ଡର ହାଇଦର ରହିଛି। ଜମ୍ମୁ କଶ୍ମୀର ପୁଲିସର ଆଇଜି ବିଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଯେଉଁ ବୀର ଯବାନମାନେ ହାଇଦରର ମୁଣ୍ଡ ନେଇଛନ୍ତି ସେମାନେ ପରେ ଶହୀଦ ହୋଇଯାଇଛନ୍ତି। ଅନ୍ୟ ଜଣେ ଆତଙ୍କବାଦୀର ପରିଚୟ ମିଳିପାରିନଥିବା ଆଇଜି କହିଛନ୍ତି।
ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବାବେଳେ ୪ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ୨୧ ରାଷ୍ଟ୍ରୀୟ ରାଇଫଲ ୟୁନିଟର କମାଣ୍ଡର କର୍ଣ୍ଣେଲ ଆଶୁତୋଷ ଶର୍ମା, ଜଣେ ମେଜର ରାଙ୍କର ଅଧିକାରୀ ଏବଂ ଦୁଇ ଜଣ ଯବାନ ରହିଛନ୍ତି। ଏଥିସହ ଜମ୍ମୁ କଶ୍ମୀରର ଜଣେ ପୁଲିସ ଅଧିକାରୀ ମଧ୍ୟ ରହିଛନ୍ତି।
ହନ୍ଦଓ୍ୱାରାରେ ଜନବସତି ରହିଛି। ଆତଙ୍କବାଦୀ ଗୁଳି ବିନିମୟ କରିବା ବେଳେ କୌଣସି ସାଧାରଣ ଲୋକଙ୍କର କ୍ଷତି ନହେଉ ବୋଲି ସେନା ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ତେଣୁ ଯେଉଁ ଘରେ ଲୁଚି ରହି ଆତଙ୍କବାଦୀ ଗୁଳି ଚଳାଉଥିଲେ ସେହି ଘରକୁ ଘେରି ଯାଇଥିଲେ ୪ ଯବାନ ଏବଂ ପୁଲିସ ଅଧିକାରୀ। ତେବେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ବେଳେ ୪ ଯବାନ ଏବଂ ସଂପୃକ୍ତ ପୁଲିସ ଅଧିକାରୀ ଶହୀଦ ହୋଇଥିଲେ। ଏହା ପୂର୍ବରୁ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ବୀର ଯବାନ।
ଆତଙ୍କବାଦୀମାନେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ କୁପଓ୍ୱାଡା ଜିଲ୍ଲାରେ ଶୁକ୍ରବାର ପାଖରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଶନିବାର ଅପରାହ୍ନରେ ଆତଙ୍କବାଦୀ ଓ ସୁରକ୍ଷାବଳୟ ମୁହାଁମୁହିଁ ହୋଇଥିଲେ।