ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଆଜି ବହୁ ଚର୍ଚ୍ଚିତ ଆସାମ୍ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି)ର ପ୍ରକାଶନ ତାରିଖ ଜୁଲାଇ ୩୧ରୁ ଅଗଷ୍ଟ ୩୧କୁ ଘୁଞ୍ଚାଇଦେଇଛନ୍ତି। ଏନ୍ଆରସି ସଂଯୋଜକ ଅଧିକ ସମୟ ମାଗିବାରୁ ଏବଂ ଏହି ତାଲିକାରେ କିଛି ନୂଆ ନାଁ ଯୋଡ଼ିବାକୁ ଥିବାରୁ ଶେଷ ତାରିଖକୁ ଘୁଞ୍ଚାଯାଇଥିବା ସୂଚନା ମିଳିଛି। ପୂର୍ବରୁ ପ୍ରସ୍ତୁତ ତାଲିକାରୁ କେତେଜଣ ବାଦ୍ ପଡ଼ିଥିବାର ମଧ୍ୟ ସୂଚନା ରହିଛି।
ମଙ୍ଗଳବାର ସୁପ୍ରିମ୍କୋର୍ଟ ଏନ୍ଆରସି ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି, ଅଗଷ୍ଟ ୭ ତାରିଖ ୩ଟା ବେଳେ ଅନ୍ୟ ପକ୍ଷମାନେ କୋର୍ଟଙ୍କ ନିକଟରେ ଉପସ୍ଥିତ ରହି ଏନ୍ଆରସି ସମ୍ବନ୍ଧୀୟ ସେମାନଙ୍କ ମତ ରଖିପାରିବେ। ଏ ସମସ୍ତ ଆବେଦନର ଶୁଣାଣି ଅଗଷ୍ଟ ୭ ତାରିଖରେ କରାଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।
ଅନ୍ୟପକ୍ଷରେ ଆସାମ ସରକାର ଏବଂ କେନ୍ଦ୍ର ସରକାର ୨୦% ନମୁନା ଯାଞ୍ଚ ପାଇଁ ଦେଇଥିବା ପ୍ରସ୍ତାବକୁ ମଧ୍ୟ ସୁପ୍ରିମ୍କୋର୍ଟ ଖାରଜ କରିଦେଛନ୍ତି। ଏନ୍ଆରସି ସଂଯୋଜକ ଏହା ପୂର୍ବରୁ ସୁପ୍ରିମ୍କୋର୍ଟଙ୍କୁ କହିଥିଲେ, ତାଲିକାରୁ କାହାକୁ ବାଦ୍ ଦେବାପାଇଁ ବା ନୂଆ ନାଁ ଯୋଡ଼ିବା ପାଇଁ ୭୨ ଲକ୍ଷ ଲୋକଙ୍କର ଯାଞ୍ଚ ସରିଥିବାରୁ ଆଉ ପୁନଃଯାଞ୍ଚର ଆବଶ୍ୟକତା ନାହିଁ। ଆଜି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ଆରଏଫ୍ ନରିମାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ୍ଆରସି ମାମଲାରେ ଶୁଣାଣି କରୁଥିଲେ।