ଲକ୍ଷ୍ନୌ (ଓଡ଼ିଶା ରିପୋର୍ଟର): ରାମ ରହିମ କେଳେଙ୍କାରୀ ପଦାକୁ ଆସିବା ପରେ ନକଲି ବାବାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ଆଖଡା ପରିଷଦ। ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ୧୪ ଜଣ ଏପରି ବାବାଙ୍କ ସୂଚୀ ଜାରି କରି ସେମାନଙ୍କୁ ନକଲି ଘୋଷଣା କରିଛନ୍ତି। ହେଲେ ଏପରି କାର୍ଯ୍ୟାନୁଷ୍ଠାନ ପରିଷଦ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। କାରଣ ଏହାକୁ ନେଇ ନକଲି ଘୋଷିତ କିଛି ବାବା ଆଇନର ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି କି ଜଣେ ବାବାଙ୍କ ଓକିଲ ନରେନ୍ଦ୍ରଙ୍କ ପାଖକୁ ନୋଟିସ୍ ପଠାଇ ସୂଚୀରୁ ତାଙ୍କ ନାଁ ନ କାଟିଲେ ମାନହାନୀ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛନ୍ତି।
ଚେତାବନୀ ଦେଇଥିବା ଏହି ବାବା ଜଣଙ୍କ ହେଲେ ଇଲ୍ଲାହାବାଦ୍ର ସିଦ୍ଧେଶ୍ୱରୀ ଗୁପ୍ତ ମହାପୀଠର ମହନ୍ତ ଆଚାର୍ଯ୍ୟ କୁଶ ମୁନି। ଆଖଡା ପରିଷଦ କୁଶ ମୁନିଙ୍କୁ ରବିବାର ନକଲି ଘୋଷଣା କରିଥିଲା। ନରେନ୍ଦ୍ରଙ୍କୁ ନୋଟିସ୍ରେ କୁଶ ମୁନିଙ୍କ ଓକିଲ କହିଛନ୍ତି, ଆପଣ ଅନାବଶ୍ୟକ ତଥ୍ୟକୁ ଆଧାର କରି ଆଚାର୍ଯ୍ୟ କୁଶ ମୁନିଙ୍କୁ ନକଲି ବାବା ତାଲିକାରେ ରଖିଛନ୍ତି। ପ୍ରତିଶୋଧ ନେବାକୁ ଆପଣ ଏପରି କରିଛନ୍ତି। ଆପଣ କୁଶ ମୁନିଙ୍କ ନାଁ ତାଲିକାରୁ ନ ହଟାଇଲେ ମାନହାନୀ ମୋକଦ୍ଦମା କରିବୁ।
ଏନ୍ଡି ଟିଭିକୁ ଏକ ସାକ୍ଷାତକାର ଦେଇ କୁଶ ମୁନି କହିଛନ୍ତି- “ନରେନ୍ଦ୍ର ଗିରିଙ୍କ କହିବାରେ ମୁଁ ନକଲି ବାବା ହୋଇଯିବି ନାହିଁ। ସେ ପ୍ରଥମେ ଦେଖି ନିଅନ୍ତୁ ତାଙ୍କ ଆଖଡାରେ କେତେଜଣ ମହନ୍ତଙ୍କ ଉପରେ ଅପରାଧିକ ମାମଲା ଚାଲିଛି। ନିଜେ ନରେନ୍ଦ୍ର ଗିରିଙ୍କ ଚରିତ୍ର ଠିକ ନାହିଁ। ମୁଁ ତାଙ୍କୁ ନୋଟିସ୍ ପଠାଇଛି, ତାଙ୍କ ସହ କୋର୍ଟରେ ଦେଖା ହେବ।”
ସୂଚନାଯୋଗ୍ୟ ନକଲି ଘୋଷିତ ବାବାଙ୍କୁ ଅର୍ଦ୍ଧକୁମ୍ଭକୁ ଆସିବା ଉପରେ ଆଖଡା ପରିଷଦ ପ୍ରତିବନ୍ଧକ ଲଗାଇପାରେ। ଆଜି ପରିଷଦ ପକ୍ଷରୁ ଏହି ୧୪ ଜଣଙ୍କ ସୂଚୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରାଯିବ।