ପାଟନା: ବିହାରରେ ଏକ ଥାନାର ପାଇଖାନାରୁ ଜଣେ ସ୍ଥାନୀୟ ଦଳିତ ଜେଡିୟୁ ନେତାଙ୍କ ମୃତ ଦେହ ମିଳିଛି। ତାଙ୍କୁ ପଚରା ଉଚରା ପାଇଁ ପୁଲିସ୍ ଥାନାକୁ ନେବା ପରେ ତାଙ୍କ ମୃତଦେହ ମିଳିବା ଘଟଣା ନାଳନ୍ଦା ଜିଲ୍ଲାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିଛି। ଏହି ଦଳିତ ନେତାଙ୍କ ମୃତ୍ୟୁ ଘଟଣାରେ ୩ ଜଣ ପୁଲିସ୍ ଗିରଫ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଗଣେଶ ରବିଦାସ ନାମକ ଏହି ଦଳିତ ନେତାଙ୍କୁ ପାଇଖାନାର ସିଲିଂରୁ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏହି ଜିଲ୍ଲା ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ଜିଲ୍ଲା।
ଗଣେଶ ଦଳର ମହାଦଳିତ ସେଲ ବ୍ଲକ୍ ସଭାପତି ଦାୟିତ୍ୱ ତୁଲାଉଥିଲେ। ଏକ ଝିଅର ଅପହରଣ ମାମଲାରେ ତାଙ୍କ ନାମରେ ଅଭିଯୋଗ ଥିବାରୁ ତାଙ୍କୁ ପୁଲିସ୍ ପଚରାଉଚରା କରିବା ପାଇଁ ଥାନାକୁ ଉଠାଇ ଆଣିଥିଲା। କିଛି ଗ୍ରାମବାସୀ କହିଛନ୍ତି, ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯିବାରୁ ସେ ସହି ନ ପାରି ଆତ୍ମହତ୍ୟା କରିଥାଇପାରନ୍ତି।