ନୂଆଦିଲ୍ଲୀ: ସାଂସଦ ଆଜମ୍ ଖାନ୍ ନିଜର ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ମଧ୍ୟ ସେ କ୍ଷମା ଦେବେନି ବୋଲି ବିଜେପି ସାଂସଦ ତଥା ଲୋକସଭା ଉପବାଚସ୍ପତି ରମା ଦେବୀ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି, ସେ ଏଭଳି ମନ୍ତବ୍ୟ ଦେବା ଏବଂ ଏଥିପାଇଁ କ୍ଷମା ନ ମାଗିବା ଦ୍ୱାରା ଦୁଇ ଦୁଇ ଥର ବାଚସ୍ପତି ଚେୟାରକୁ ଅପମାନିତ କରିଛନ୍ତି।
ରମା ଦେବୀ ଏନ୍ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ସେ ଯେତେବେଳେ ଏଭଳି ମନ୍ତବ୍ୟ ଦେଲେ ମୁଁ ସେତେବେଳେ ବାଚସ୍ପତିଙ୍କ ଆସନରେ ଥିଲି। ଏହି ଚେୟାର ସମସ୍ତଙ୍କୁ ସମାନ ଭାବେ ଦେଖିଥାଏ ଏବଂ ମୁଁ ସମସ୍ତଙ୍କୁ ସମାନ ଭାବେ ସମ୍ମାନ ଦେଇ ଆସିଛି। ସେ ଯେତେବେଳେ ସାଂସଦମାନଙ୍କୁ ଚାହିଁ ବକ୍ତବ୍ୟ ରଖୁଥିଲେ, ମୁଁ କହିଥିଲି ସେ ଯାହା କହିବାକୁ ଚାହୁଁଛନ୍ତି ତାହା ସେ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କହନ୍ତୁ। କିନ୍ତୁ ସେତେବେଳେ ସେ ଏଭଳି ମନ୍ତବ୍ୟ ଦେଇଥିଲେ ଯାହାର ପୁନରାବୃତ୍ତି କରିବାକୁ ମଧ୍ୟ ଖରାପ ଲାଗୁଛି।
ରମା ଦେବୀ କହିଛନ୍ତି , “ମୁଁ ବହୁତ କିଛି କହିପାରିଥା’ନ୍ତି। କିନ୍ତୁ ଚେୟାରକୁ ସମ୍ମାନ ଜଣାଇ ଚୁପ୍ ରହିବାକୁ ଉଚିତ ମଣିଥିଲି। ପ୍ରତ୍ୟେକ ମଣିଷର ମା, ଭଉଣୀ, ଝିଅ ଏବଂ ସ୍ତ୍ରୀ ଥା’ନ୍ତି। ଆଜମ୍ ଖାନ୍ଙ୍କ ମନ୍ତବ୍ୟ କେବଳ ମହିଳାମାନଙ୍କୁ ନୁହେଁ ପୁରୁଷମାନଙ୍କ ମର୍ଯ୍ୟାଦାକୁ ମଧ୍ୟ ଆଘାତ ପହଞ୍ଚାଇଛି।"
ଆଜମ୍ ଖାନ୍ ସେଦିନ ବାଚସ୍ପତି ଚେୟାରରେ ଥିବା ରମାଦେବୀଙ୍କୁ କହିଥିଲେ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ। ଏହାକୁ ନେଇ ସଂସଦରେ ତମ୍ବି ତୋଫାନ ହୋଇଥିଲା। ଏପରିକି ଆଜମ୍ ଖାନ୍ଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲେ ମଧ୍ୟ ସେ ନିରବତା ଅବଲମ୍ବନ କରିଥିଲେ। ଶାସକ ଏନ୍ଡିଏର ସହଯୋଗୀ ଦଳଙ୍କ ସମେତ ପ୍ରାୟ ସମସ୍ତ ଦଳ ଆଜମ୍ଙ୍କୁ ବିରୋଧ କରିଥିଲେ। ତେବେ ପୂର୍ବରୁ ବହୁ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ଆଜମ୍ ଖାନ୍ଙ୍କର ଏହି ମନ୍ତବ୍ୟକୁ ନେଇ ତାଙ୍କ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି, ଏହି ମନ୍ତବ୍ୟ ରମା ଦେବୀଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ ନଥିଲା। ବିଜେପି ସାଂସଦମାନେ ଅଯଥାରେ ଏହାକୁ ପ୍ରସଙ୍ଗ କରୁଛନ୍ତି ବୋଲି ସେ କହିଥିଲେ।