ମୁମ୍ବାଇ: ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ନିର୍ବାଚନ ପୂର୍ବରୁ ଶିବସେନା ସହ ମେଣ୍ଟ ବାବଦରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ମଧ୍ୟ ବିଜେପି ଶିବସେନା ସହ ମିଳିତ ଭାବେ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ସେ କହିଛନ୍ତି ଶିବସେନା ପ୍ରତିଷ୍ଠାତା ବାଲ୍ ଠାକ୍ରେଙ୍କ ନାତି ତଥା ବର୍ତ୍ତମାନର ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟ ଠାକ୍ରେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଗଲେ ତାଙ୍କର କିଛି ଆପତ୍ତି ନାହିଁ।
ଫଡ଼ନାବିସ୍ କହିଛନ୍ତି, "ଏବେ ମଧ୍ୟ ଏହି ପ୍ରସ୍ତାବ ଦେବାକୁ ଆମେ ରାଜି ଅଛୁ। ଠାକ୍ରେ ପରିବାରରୁ ପ୍ରଥମ ଥର ପାଇଁ ଆଦିତ୍ୟ ନିଜେ ନିର୍ବାଚନ ଲଢ଼ିବେ। ଆମେ ତାଙ୍କୁ ସରକାରରେ ସାମିଲ କରି ଆନନ୍ଦିତ ହେବୁ।"
ଶିବସେନା ସହ ମେଣ୍ଟକୁ ନେଇ ସେ କହିଛନ୍ତି, “ଆମେ ଅପେକ୍ଷାକୃତ ବଡ଼ ଦଳ ହୋଇଥିଲେ ମଧ୍ୟ ଆମ ପୂରୁଣା ସାଥୀ ଦଳମାନଙ୍କୁ ହେୟ ଜ୍ଞାନ କରିବାର ପରମ୍ପରା ଆମର ନାହିଁ। ୨୦୧୪ ମସିହାରେ ଶିବସେନା ହିଁ ମେଣ୍ଟ ଭାଙ୍ଗି ଏକାକୀ ଲଢ଼ିଥିଲା। ବିଜେପି ୧୪୪ଟି ଲଢ଼ି ୧୨୨ଟିରେ ଜିତିଥିଲା। ଏବେ ଆମେ ପ୍ରାୟ ଅର୍ଦ୍ଧେକ ଆସନରେ ଅର୍ଥାତ ୧୩୦-୧୪୦ଟିରେ ଲଢ଼ିବୁ। ବାକି ଛୋଟ ଦଳଙ୍କ ପାଇଁ ଛାଡ଼ିଦେବୁ। କେତେ ଆସନରେ ଆମେ ଜିତିବୁ କହିପାରିବିନି, କିନ୍ତୁ ଏହା ଏକ ଐତିହାସିକ ବିଜୟ ହେବ।”
ଅନ୍ୟଦଳରୁ ନେତା ବିଜେପିକୁ ଆସିବା ବାବଦରେ ସେ କହିଛନ୍ତି, "ଆମେ ଆମ ଫାଟକରେ ହାଉସ୍ଫୁଲ ବୋର୍ଡ ମାରିସାରିଛୁ। କିନ୍ତୁ କିଛି ଭିଆଇପିଙ୍କ କ୍ଲିନ୍ ରେକର୍ଡ, ବିଶ୍ୱସନୀୟତା ଏବଂ କାମ ଦେଖି ସେମାନଙ୍କୁ ଦଳରେ ସାମିଲ କରିବୁ। ଆଗାମୀ ଦିନରେ ବହୁତ ବଡ଼ ନେତା ଆମ ଦଳରେ ଯୋଗଦେବାର ସମ୍ଭାବନା ଅଛି।"