ନୂଆଦିଲ୍ଲୀ: ବଡ଼ ବଡ଼ ନେତାଙ୍କୁ କାର୍ଟୁନ୍ କରି ତେର୍ଛା ସାମଲୋଚନା କରିଆସୁଥିବା ଶିବସେନା ଏବେ ନିଜେ କାର୍ଟୁନ୍ ମାଡ଼ରେ ଆହତ ହୋଇଛି। ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦ ପଲ ସିଂହ ବାଗା ଶିବସେନାକୁ କାର୍ଟୁନ୍ ମାଧ୍ୟମରେ ହିଁ ସମାଲୋଚନା କରିଛନ୍ତି।
ଏକ ଟ୍ୱିଟ୍ରେ ଶିବସେନାର ପ୍ରତୀକ ବାଘ ରହିଛି। ଏଥିସହିତ ହାତରେ ଫାସ ଧରିଥିବା ବିଜେପି ବିଧାୟକ ଦଳ ମୁଖ୍ୟ ତଥା ଭାବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଅଛନ୍ତି। ଫଟୋ ଉପରେ ଲେଖାଯାଇଛି, ‘ଆଖିର ତୁହ୍ମେ ଆନା ହୈ ଜରା ଡେର ଲଗେଗି’ ବା ‘ତମେ ନିଶ୍ଚୟ ଆସିବ ଟିକେ ଡେରି ହୋଇପାରେ’। ଏହା ଏକ ହିନ୍ଦୀ ସିନେମା ଗୀତ ଆଧାରରେ ଲେଖାଯାଇଛି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଥିଲେ ଶିବସେନା ନିଜେ ମହାରାଷ୍ଟ୍ରରେ ସରକାର ଗଢ଼ିପାରିବ।
ତେବେ ମହାରଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ କାର୍ଟୁନ୍ ଯୁଦ୍ଧ ମଧ୍ୟ ଚର୍ଚ୍ଚାରେ ରହିଆସିଛି। ସରକାର ଗଠନ ନେଇ ବର୍ତ୍ତମାନ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନଥିବାବେଳେ ଯେଉଁଦିନ ନିର୍ବାଚନୀ ଫଳ ଆସିଥିଲା ସଞ୍ଜୟ ରାଉତ ସେଦିନ ମଧ୍ୟ ଏକ କାର୍ଟୁନ୍ ଛାଡ଼ିଥିଲେ। ଏଥିରେ ବାଘ (ଶିବସେନାର ପ୍ରତୀକ)ଟିଏ ହାତରେ ପଦ୍ମ (ବିଜେପିର ଚିହ୍ନ) ଧରିଥିଲା, କିନ୍ତୁ ବେକରେ ଘଣ୍ଟା (ଏନ୍ସିପିର ଚିହ୍ନ) ଟିଏ ମାଳ କରି ପିନ୍ଧିଥିଲା। ଏହାର ପ୍ରତିକ୍ରିୟାରେ ତେଜିନ୍ଦର ଫଡ଼ନାଭିସ୍ଙ୍କ ଫଟୋ ସହ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ଲେଖାଥିଲା ‘ମୋତେ ବଡ଼ ଭାଇ ଡାକ’।