ପିଏସ୍‌ଇ ସର୍ଭେ: ଦେଶ ଚାହୁଁଛି ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଟିଏ ପରେ ଗୋଟିଏ ସର୍ଭେ ସଂସ୍ଥା ଜନମତ ଉପସ୍ଥାପନ କରିବାରେ ଲାଗିଛନ୍ତି। ଇଣ୍ଡିଆ ଟୁଡେ-ଆକ୍ସିସ୍‌-ମାଇଁ-ଇଣ୍ଡିଆ ପକ୍ଷରୁ କରାଯାଇଥିବା ପଲଟିକାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶବାସୀ ପୁଣି ସମର୍ଥନ କରିଛନ୍ତି। ଅଧିକାଂଶ ଲୋକ ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ଚାହୁଁଥିବା ସର୍ଭେରୁ ଜଣାପଡ଼ିଛି। କେବଳ ଦକ୍ଷିଣ ଭାରତକୁ ଛାଡ଼ିଦେଲେ ଅବଶିଷ୍ଟ ଭାରତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତୁଳନାରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁଣି ଦେଖିବାକୁ […]

t4

Hemant Lenka
  • Published: Friday, 02 November 2018
  • , Updated: 02 November 2018, 09:27 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଟିଏ ପରେ ଗୋଟିଏ ସର୍ଭେ ସଂସ୍ଥା ଜନମତ ଉପସ୍ଥାପନ କରିବାରେ ଲାଗିଛନ୍ତି। ଇଣ୍ଡିଆ ଟୁଡେ-ଆକ୍ସିସ୍‌-ମାଇଁ-ଇଣ୍ଡିଆ ପକ୍ଷରୁ କରାଯାଇଥିବା ପଲଟିକାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶବାସୀ ପୁଣି ସମର୍ଥନ କରିଛନ୍ତି। ଅଧିକାଂଶ ଲୋକ ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ ଚାହୁଁଥିବା ସର୍ଭେରୁ ଜଣାପଡ଼ିଛି।

କେବଳ ଦକ୍ଷିଣ ଭାରତକୁ ଛାଡ଼ିଦେଲେ ଅବଶିଷ୍ଟ ଭାରତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ତୁଳନାରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁଣି ଦେଖିବାକୁ ଚାହିଁଛନ୍ତି। ଦେଶର ୪୬% ଲୋକ ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ମାତ୍ର ୩୨% ଲୋକ ରାହୁଲ ଗାନ୍ଧିଙ୍କୁ ସମର୍ଥନ କରିଛନ୍ତି। ଆଉ ୨୨% ଲୋକ ମୋଦି କିମ୍ବା ରାହୁଲ କାହାକୁ ବି ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହାନ୍ତି।

ଇଣ୍ଡିଆ ଟୁଡେ-ଆକ୍ସିସ୍‌-ମାଇଁ-ଇଣ୍ଡିଆ ପକ୍ଷରୁ ୫୪୦ ନିର୍ବାଚନମଣ୍ଡଳୀରେ ଫୋନ୍‌ ଯୋଗେ ଅଗଷ୍ଟ ୨୫ରୁ ଅକ୍ଟୋବର ୩୦ ଯାଏ ଜନମତ ସଂଗ୍ରହ କରାଯାଇଥିଲା। ଏଥିରେ ୨ ଲକ୍ଷ ୧୬ ହଜାର ୫୩୨ ଜଣ ଲୋକଙ୍କ ମତାମତ ନିଆଯାଇଥିଲା।

ସର୍ଭେ ଅନୁଯାୟୀ, ଉତ୍ତର, ପୂର୍ବ ଓ ପଶ୍ଚିମ ଭାରତରେ ରାହୁଲ ଗାନ୍ଧିଙ୍କ ତୁଳନାରେ ମୋଦିଙ୍କ ଲୋକପ୍ରିୟତା ଅଧିକ ରହିଛି। କିନ୍ତୁ ଦକ୍ଷିଣରେ ରାହୁଲ ଗାନ୍ଧି ଲୋକପ୍ରିୟତାରେ ମୋଦିଙ୍କ ଠାରୁ ଆଗରେ ଅଛନ୍ତି। ଉତ୍ତର ଭାରତରେ ୪୫% ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ମାତ୍ର ୨୭% ଲୋକ ରାହୁଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ମତ ଦେଇଛନ୍ତି। ପୂର୍ବ ଭାରତରେ ମୋଦିଙ୍କୁ ୫୦% ଲୋକଙ୍କ ସମର୍ଥନ ମିଳିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ମାତ୍ର ୨୫% ଲୋକ ସମର୍ଥନ କରିଛନ୍ତି। ସେହିପରି ପଶ୍ଚିମ ଭାରତରେ ମୋଦି ଓ ରାହୁଲଙ୍କ ଅନୁପାତ ୫୨:୩୩ ରହିଛି।

ଦକ୍ଷିଣରେ ମୋଦିଙ୍କ ଲୋକପ୍ରିୟତା ନଥିଲେ ହେଁ ୩୭ % ଲୋକ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି କହିଛନ୍ତି। ରାହୁଲଙ୍କୁ ଏଠାରେ ୪୦% ଜନ ସମର୍ଥନ ମିଳିଛି।

କାର୍ଯ୍ୟ ଦକ୍ଷତାକୁ ସମର୍ଥନ

କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ୪୪% ଲୋକ ଭଲ ବୋଲି କହିଥିବା ବେଳେ ୩୦% ଲୋକ ଏହାକୁ ନାପସନ୍ଦ କରିଛନ୍ତି। ସେହିପରି ୨୦% ଲୋକ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପ 'ଚଳିବ' ବୋଲି କହିଛନ୍ତି।

ବିଜେପି ଶାସନ କରୁଥିବା ୧୯ଟି ରାଜ୍ୟର ୪୮% ଭୋଟ୍‌ର କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପରେ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ୨୯% ଲୋକ ଏହାକୁ ପସନ୍ଦ କରିନାହାନ୍ତି। ଅବଶିଷ୍ଟ ୧୧ଟି ଅଣ ବିଜେପି ରାଜ୍ୟରେ ୩୯% ଲୋକ ମୋଦି ସରକାରଙ୍କୁ ସମର୍ଥନ କରିଥିବା ବେଳେ ୩୨% ଲୋକ ନାପସନ୍ଦ କରିଛନ୍ତି।

ମୁଖ୍ୟ ପ୍ରସଙ୍ଗ

ଦେଶର ୪୨% ଲୋକ ପରିମଳ ବ୍ୟବସ୍ଥା ଦେଶର ଏକ ମୁଖ୍ୟ ସମସ୍ୟା ବୋଲି ବିଚାର କରୁଥିବା ବେଳେ ଏହା ପଛକୁ ଦର ବୃଦ୍ଧି, ଚାଷୀଙ୍କ ସମ୍ପର୍କିତ ସମସ୍ୟା, ବେକାରୀ ଓ ପିଇବା ପାଣି ସମସ୍ୟାକୁ ପ୍ରମୁଖ ସମସ୍ୟା ବୋଲି କହିଛନ୍ତି।

ଜାତିଭିତ୍ତିକ ସମର୍ଥନ

୪୮% ଅନୁସୂଚିତ ଜାତି ବର୍ଗର ଲୋକଙ୍କର ମୋଦିଙ୍କ ପ୍ରତି ସମର୍ଥନ ରହିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ଏହି ବର୍ଗର ୩୧% ଲୋକ ସମର୍ଥନ କରିଛନ୍ତି। ଅନୁସୂଚିତ ଜନଜାତି ବର୍ଗର ୪୬% ଲୋକ ମୋଦି ଓ ୩୩% ଲୋକ ରାହୁଲଙ୍କୁ ସମର୍ଥନ କରିଛନ୍ତି। ଓବିସି ବର୍ଗରେ ରାହୁଲ ଗାନ୍ଧିଙ୍କ ତୁଳନାରେ ମୋଦିଙ୍କ ଲୋକପ୍ରିୟତା ଦୁଇଗୁଣ ଅଧିକ ରହିଛି।

ମୁସଲିମ ସମର୍ଥନ

ମୁସଲିମ ସଂପ୍ରଦାୟରେ ରାହୁଲଙ୍କ ସମର୍ଥନ ଅଧିକ ରହିଛି। ଏହି ସଂପ୍ରଦାୟର ୫୬% ଲୋକ ରାହୁଲ ଗାନ୍ଧିଙ୍କୁ ସମର୍ଥନ କରୁଥିବା ବେଳେ ମାତ୍ର ୧୬% ଲୋକ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି।

ମହିଳାଙ୍କ ସମର୍ଥନ

ମହିଳା ଭୋଟର୍‌ଙ୍କ ମଧ୍ୟରେ ମୋଦିଙ୍କ ପ୍ରତି ସମର୍ଥନ ଅଧିକ ରହିଛି। ୪୭% ମହିଳା ଭୋଟର୍‌ ମୋଦିଙ୍କୁ ସମର୍ଥନ କରିଥିବା ବେଳେ ୪୫% ମହିଳାଙ୍କ ମଧ୍ୟରେ ରାହୁଲଙ୍କ ଲୋକପ୍ରିୟତା ରହିଛି।

ସହର ବନାମ ଗ୍ରାମାଞ୍ଚଳ ସମର୍ଥନ

ମୋଦି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରାହୁଲଙ୍କୁ ଲୋକପ୍ରିୟତାରେ ଟପି ଯାଇଛନ୍ତି। ଗ୍ରାମାଞ୍ଚଳରେ ମୋଦିଙ୍କୁ ୪୪% ଓ ରାହୁଲଙ୍କୁ ୩୩% ଲୋକ ସମର୍ଥନ କରିଛନ୍ତି। ସେହିପରି ଗ୍ରାମାଞ୍ଚଳରେ ମୋଦିଙ୍କୁ ୪୮% ଲୋକ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ବେଳେ ୩୦% ଲୋକ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ସର୍ଭେ ପକ୍ଷରୁ କୁହାଯାଇଛି।

Related story