ମୋଦିଙ୍କୁ ଭେଟିବା ପରେ ଧାରଣାରେ ମମତା

କୋଲକାତା: ପଶ୍ଚିମବଙ୍ଗରେ ସିଏଏକୁ କଡ଼ା ବିରୋଧ ଭିତରେ ଆଜି ରାଜଧାନୀ କୋଲକତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଭେଟ ହୋଇଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ରାଜଭବନଠାରେ ମମତାଙ୍କ ସହ ମୋଦିଙ୍କର ବୈଠକ ହୋଇଥିଲା। ତେବେ ବୈଠକ ପରେ ମମତା ତାଙ୍କ ଦଳ ତୃଣମୂଳ କଂଗ୍ରେସ ଆୟୋଜିତ ଧାରଣାରେ ବସିଥିବା ଜଣାପଡ଼ିଛି। ସିଏଏ ଏବଂ ଏନ୍‌ଆରସି […]

Mamata

Subrat Kumar Nayak
  • Published: Saturday, 11 January 2020
  • , Updated: 11 January 2020, 06:00 PM IST

କୋଲକାତା: ପଶ୍ଚିମବଙ୍ଗରେ ସିଏଏକୁ କଡ଼ା ବିରୋଧ ଭିତରେ ଆଜି ରାଜଧାନୀ କୋଲକତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଭେଟ ହୋଇଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଏହି ଅବସରରେ ଆଜି ରାଜଭବନଠାରେ ମମତାଙ୍କ ସହ ମୋଦିଙ୍କର ବୈଠକ ହୋଇଥିଲା। ତେବେ ବୈଠକ ପରେ ମମତା ତାଙ୍କ ଦଳ ତୃଣମୂଳ କଂଗ୍ରେସ ଆୟୋଜିତ ଧାରଣାରେ ବସିଥିବା ଜଣାପଡ଼ିଛି। ସିଏଏ ଏବଂ ଏନ୍‌ଆରସି ଲାଗୁ ବିରୋଧରେ ଏହି ଧାରଣାରେ ମମତାଙ୍କ ସହ ବହୁ ଟିଏମ୍‌ସି ନେତା ଯୋଗ ଦେଇଛନ୍ତି।

ଏହାପରେ ମମତା ବୈଠକ ବାବଦରେ କହିଥିଲେ, ସେ ମୋଦିଙ୍କୁ କିଛି ଆର୍ଥିକ ପ୍ରସଙ୍ଗରେ ଭେଟିଥିଲେ। ସେହିଭଳି ଟିଏମ୍‌ସି ସାଂସଦ ଡେରେକ୍‌ ଓ’ବ୍ରେନ୍‌ ମଧ୍ୟ ସମାନ ଭାବେ କହିଥିଲେ ଏହା ସରକାରଙ୍କ ସହ ସରକାରଙ୍କ ବୈଠକ। ବୈଠକ ପରେ ମମତା କହିଛନ୍ତି, “ଆମେ ସିଏଏ, ଏନ୍‌ଆରସି ଏବଂ ଏନ୍‌ପିଆରକୁ ବିରୋଧ କରୁଛୁ। ନିଶ୍ଚିତ ହେବା ଦରକାର ଯେ କେହି ମଧ୍ୟ ଦେଶ ବାହାରକୁ ଯିବେନି। କୌଣସି ଅତ୍ୟାଚାର ନହେବା ଉଚିତ। ସରକାର ଏନ୍‌ଆରସି ଏବଂ ସିଏଏର ପୁନଃ ସମୀକ୍ଷା କରନ୍ତୁ। ମୋଦି କହିଛନ୍ତି, ସେ ଏହି ଗସ୍ତରେ ଅନ୍ୟ କାମରେ ବ୍ୟସ୍ତ ରହିବେ। ଏହି ବିଷୟରେ ଦିଲ୍ଲୀରେ ଆଲୋଚନା ହେବ।”

ଆଜି ମୋଦି ପହଞ୍ଚିବା ପୂର୍ବରୁ ହିଁ କୋଲକାତାର ବିଭିନ୍ନ ସ୍ଥାନ ସମେତ ପଶ୍ଚିମବଙ୍ଗରେ ବେଶ ବିରୋଧ ଦେଖିବାକୁ ମିଳିଥିଲା। ଯୁବଗୋଷ୍ଠୀ, ରାଜନୀତିକ ଦଳ ଏବଂ ଅଣରାଜନୀତିକ ସଂଗଠନମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନେ ‘ଗୋ ବ୍ୟାକ୍‌ ମୋଦି’ ନାରା ଦେବା ସହ କଳା ପତାକା ଉଡ଼ାଇଥିଲେ। ପ୍ରାୟ ୩ଟା ବେଳକୁ କିଛି ବାମପନ୍ଥୀ ଛାତ୍ରଗୋଷ୍ଠୀ କୋଲକତା ବିମାନବନ୍ଦର ଆଗରେ ଏକାଠି ହୋଇ ବିରୋଧ କରିଥିଲେ। ମମତାଙ୍କ ସରକାରର ମନ୍ତ୍ରୀ ତଥା ଜାମିଅତ୍‌ ଉଲେମା ଇ ହିନ୍ଦ ନେତା ସିଦ୍ଦିକୁଲ୍ଲା ଚୌଧୁରୀ କୋଲକାତା ଓ ମୁର୍ଶିଦାବାଦ୍‌ଠାରେ ସିଏଏ ବିରୋଧୀ ଶୋଭାଯାତ୍ରା ଆୟୋଜନ କରିଥିଲେ।

ମୋଦିଙ୍କୁ ଆଜି ବିମାନ ବନ୍ଦରଠାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର, ମେୟର ଫିରହାଦ୍‌ ହକିମ୍‌ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ସ୍ୱାଗତ କରିଥିଲେ। ମୋଦି ୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି ଏବଂ ସେ ତାଙ୍କ ଗସ୍ତ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସେ ରାଜଭବନ ବଦଳରେ ବେଲୁର ମଠଠାରେ ରାତି କାଟିବାର ଥିଲା। ସେଠାକାର ସାଧୁମାନେ ମଧ୍ୟ ତଦନୁଯାୟୀ ଆୟୋଜନ କରିଥିଲେ।

ତେବେ ନୂଆ କାର୍ଯ୍ୟକ୍ରମ ଅନୁସାରେ ସେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଜଭବନ ଫେରିବେ ଏବଂ ରାଜ୍ୟର ବିଜେପି ନେତାଙ୍କ ସହ ବୈଠକ କରିବେ। ଏହାପରେ ମମତା ବାନାର୍ଜୀଙ୍କୁ ଭେଟିବା ସ୍ଥିର ହୋଇଥିଲା।

Related story