ଚଣ୍ଡିଗଡ଼: ଦୀପାବଳି ଅବସରରେ ହରିଆଣାରେ ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ନେଇଛନ୍ତି ମନୋହରଲାଲ ଖଟ୍ଟର। ସେହିପରି ଜନନାୟକ ଜନତା ପାର୍ଟିର ପ୍ରମୁଖ ନେତା ଦୁଷ୍ୟନ୍ତ ଚୌଟାଲା ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଉଭୟ ଖଟ୍ଟର ଏବଂ ଚୌଟାଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଆଜି ଅନ୍ୟ କୌଣସି ମନ୍ତ୍ରୀ ଶପଥ ନେଇ ନାହାନ୍ତି। ଖୁବ୍ଶୀଘ୍ର ଅନ୍ୟମନ୍ତ୍ରୀ ମାନେ ଶପଥ ନେବେ ବୋଲି ଜଣାପଡ଼ିଛି।
ଏହି ଶପଥ ସମାରୋହ ଉତ୍ସବ ଅନ୍ୟମାନଙ୍କ ମଧ୍ୟରେ ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳର ନେତା ପ୍ରକାଶ ସିଂହ ବାଦଲ ଓ ସୁଖବୀନ୍ଦର ସିଂହ ବାଦଲ ଉପସ୍ଥିତ ଥିଲେ।
ହରିଆଣାର ୯୦ଟି ବିଧାନସଭା ଆସନରୁ ବିଜେପି ୪୦ଟିରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଓ ଅନ୍ୟାନ୍ୟ ୯ଟି ଆସନ ଜିତିଛନ୍ତି। ୭ ସ୍ୱାଧୀନ ବିଧାୟକ ଓ ଜେଜେପିର ୧୦ ବିଧାୟକଙ୍କୁ ନେଇ ବିଜେପି ଏଠାରେ ସରକାର ଗଠନ କରିଛି।