ଡେରାଡୁନ: ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ରୋଗୀକୁ ପୁନଃଜନ୍ମ ଦେଇଥାନ୍ତି ଡାକ୍ତର । ହେଲେ ଏବେ ଡାକ୍ତର-ରୋଗୀ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଯାଉଥିବା ବେଳେ ମରି ଯାଉଛି ମାନବିକତା । ହେଲେ ଏଥିରେ ବ୍ୟତିକ୍ରମ ହୋଇଛନ୍ତି ଡୁନ୍ ସରକାରୀ ମେଡିକାଲ କଲେଜର ଯୁବ ଡାକ୍ତର ଶଶାଙ୍କ ସିଂ ।
ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ବ୍ଲଡ ଡୋନର ମିଳିଲେନି ବୋଲି ରୋଗୀଙ୍କୁ ନିଜେ ବ୍ଲଡ ଡୋନେଟ କଲେ ଡାକ୍ତର । ଏହାପରେ ଓଟିକୁ ଯାଇ ରୋଗୀଙ୍କ ଅପରେସନ ବି କରିଛନ୍ତି। ଏହି ଡାକ୍ତରଙ୍କୁ ଏବେ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି।
ସୂଚନା ଅନୁଯାୟୀ, ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଶରୀରର କାନ୍ଧ, ହାତ, ଜଂଘ ଆଦିର ହାଡ଼ ଭାଙ୍ଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡୁନ୍ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ଅପରେସନ କରାଯିବାକୁ ସ୍ଥିର କରି ବ୍ଲଡ ଯୋଗାଡ଼ କରିବାକୁ କହିଥିଲେ ଡାକ୍ତର ଶଶାଙ୍କ ସିଂ। ମାତ୍ର ତାଙ୍କ ପରିବାର ସଦସ୍ୟ ଏଥିରେ ବିଫଳ ହେଲେ।
ଫଳରେ ଅପରେସନ ପାଇଁ ନିର୍ଦ୍ଧାରିତ ସମୟ ସୁଦ୍ଧା ବ୍ଲଡ ଯୋଗାଡ଼ କରି ପାରି ନ ଥିବା ପରିବାର ସଦସ୍ୟଙ୍କ ଅସହାୟତାକୁ ବୁଝି ପାରିଥିଲେ ଡାକ୍ତର । ତେଣୁ ଓଟିକୁ ଯିବା ପୂର୍ବରୁ ସେ ନିଜେ ରକ୍ତଦାନ କରିଥିଲେ। ଏହାପରେ ଓଟିକୁ ଯାଇ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର ବି କଲେ। ସୋଶାଲ ମିଡିଆରେ ଏହି ଖବର ପ୍ରଚାରିତ ହେଉଥିବା ବେଳେ ଲୋକେ ସମ୍ପୃକ୍ତ ଡାକ୍ତରଙ୍କର ଖୁବ୍ ପ୍ରଶଂସା କରୁଛନ୍ତି।