ନୂଆଦିଲ୍ଲୀ: ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ହିଂସା ଜାରି ରହିଛି। ଏହାକୁ ପ୍ରଶମିତ କରିବା ପାଇଁ ମୋଦି ସରକାରର ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ଆବାସ ନକଭୀ ମୁସଲିମ୍ ସଙ୍ଗଠନଙ୍କ ସହ ଆଲୋଚନା କରିଛନ୍ତି।
ଦିଲ୍ଲୀରେ ମୌଲାନା ଆଜାଦ୍ ଏଜୁକେଶନ ଫାଉଣ୍ଡେସନ (ଏମଏଇଏଫ) ଏବଂ ସେଣ୍ଟ୍ରାଲ ଓ୍ୱାକଫ କାଉନସିଲ୍ (ସିଡବ୍ଲୁସି) ସହ ମିଳିତ ବୈଠକ କରିଛନ୍ତି ମନ୍ତ୍ରୀ ନକଭୀ। ସିଏଏ ଏବଂ ଏନଆରସିକୁ ନେଇ ଭୁଲ ବାର୍ତ୍ତା ଦିଆଯାଉଛି। ଦେଶର ଶାନ୍ତିକୁ ଭାଙ୍ଗିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ସତ କେବେ ମିଛ ପ୍ରଚାର ଦ୍ୱାରା ଲୁଚିବ ନାହିଁ ବୋଲି ବୈଠକରେ ନକଭୀ କହିଛନ୍ତି।
ସିଏଏକୁ ନେଇ ଚାଲିଥିବା ଗୁଜବ ପ୍ରଚାର ଉପରେ ରୋକ୍ ଲଗାଇବା ପାଇଁ ସିଡବ୍ଲ୍ୟୁସି ଏବଂ ଏମଏଇଏଫ ଲୋକଙ୍କୁ ସଚେତନ କରିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ସିଏଏ ଦେଶର ମୁସଲମାନଙ୍କ ବିରୋଧରେ ନୁହେଁ କିମ୍ୱା କୌଣସି ନାଗରିକର ନାଗରିକତ୍ୱ ନେବ ନାହିଁ। ପଡ଼ୋଶୀ ତିନି ଦେଶର ଅଣ ମୁସଲମାନଙ୍କୁ ନାଗରିକତ୍ୱ ଦେବ ବୋଲି ସଚେତନତା ବାର୍ତ୍ତାରେ ଏମଏଇଏଫ ଏବଂ ସିଡବ୍ଲ୍ୟୁସି ଦର୍ଶାଇବ। ସିଏଏ ଆଇନରେ ପରିଣତ ହୋଇଛି। ଏନଆରସି ନିୟମ ତିଆରି ହୋଇନାହିଁ ବୋଲି ସେ କହିଛନ୍ତି।
ଦେଶରେ ଶାନ୍ତି ଭାଙ୍ଗିବା ପାଇଁ ବିରୋଧୀମାନେ ଏଭଳି ଗୁଜବ ପ୍ରଚାର କରୁଛନ୍ତି। ‘ସତ୍ୟମେବ ଜୟତେକୁ ଝୁଟ୍ମେବ ଜୟତେ’ରେ ପରିଣତ କରିବା ପାଇଁ ବିରୋଧୀ ଚେଷ୍ଟା କରୁଛନ୍ତି। ଏହା କେବେ ସଫଳ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।