ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବନ୍ୟା ସ୍ଥିତି ଏବେ ଭୟଙ୍କର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ରାଜ୍ୟକୁ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ଏହି ରାଜ୍ୟ ପ୍ରତି ମୋଦିଙ୍କ ମନୋଭାବ ଲଜ୍ଜାଜନକ ବୋଲି ସିଦ୍ଧରମୈୟା କହିଛନ୍ତି।
ସେ କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ସମେତ ଅନ୍ୟ ସମସ୍ତ ପ୍ରଧାନମନ୍ତ୍ରୀମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କର୍ଣ୍ଣାଟକାକୁ କେବେ ମଧ୍ୟ ଅବହେଳା କରିନଥିଲେ। କିନ୍ତୁ ୨୫ ଜଣ ସାଂସଦ ଥିବା ସତ୍ତ୍ୱେ କର୍ଣ୍ଣାଟକା ଏବଂ ବିଜେପି ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ପ୍ରତି ମୋଦିଙ୍କ ମନୋଭାବ ଲଜ୍ଜାଜନକ।
ଅନ୍ୟପକ୍ଷରେ ପୂର୍ବ ସରକାରର ବିଭିନ୍ନ ଜନକଲ୍ୟାଣକାରୀ ସ୍କିମ୍ରେ ସରକାରଙ୍କ ବ୍ୟୟ ଅଟକଳରେ ପରିବର୍ତ୍ତନକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ସିଦ୍ଧରମୈୟା। ସେ ଏହା ବିରୋଧରେ ବିକ୍ଷୋଭ ଓ ଆନ୍ଦୋଳନ କରିବାକୁ ଧମକ ଦେବା ସହ କହିଛନ୍ତି, "ବିଜେପି ସରକାର 'ଅନ୍ନ ଭାଗ୍ୟ ସ୍କିମ୍'ର ପାଣ୍ଠି କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍କିମ୍କୁ ଡାଇଭର୍ଟ କରିପାରେ। କିନ୍ତୁ ଏହା ଗରିବଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ନ ପକାଉ। ଏହା ଗରିବ ବିରୋଧୀ କାମ।"
ସେ କହିଛନ୍ତି, "ଏପରି କଲେ ଆନ୍ଦୋଳନ ମୁଣ୍ଡ ଟେକିବ ଏବଂ ସାଧାରଣ ଲୋକଙ୍କ ସ୍ୱାର୍ଥସାଧନ ପାଇଁ ବିଭିନ୍ନ ସ୍ଥାନରେ ସରକାରଙ୍କୁ ବିରୋଧ କରାଯିବ। ଆମେ ରାସ୍ତାକୁ ଓହ୍ଲାଇବୁ ଏବଂ ଏହି ନିଷ୍ପତ୍ତି ବିରୋଧରେ ଲଢ଼େଇ କରିବୁ।"