ଚେନ୍ନାଇ: ଭାରତର ପ୍ରମୁଖ ସହର ମଧ୍ୟରୁ ଅନ୍ୟତମ ଚେନ୍ନାଇ ଆସିବେ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ବୈଠକରେ ଯୋଗଦେବା ପାଇଁ ସେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ବୈଠକ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘ ଦିନ ଧରି ରହିଆସିଥିବା ବିବାଦ ହ୍ରାସ କରି ସମ୍ପର୍କ ମଜଭୁତ କରିବାରେ ବଡ଼ ଭୂମିକା ନେବ ବୋଲି କୁହାଯାଉଛି। ଶୁକ୍ରବାର ସକାଳୁ ବେଜିଂରୁ ବାହାରି ସେ ବିଳମ୍ବିତ ମଧ୍ୟାହ୍ଣରେ ମାମଲ୍ଲାପୁରମ୍ ପର୍ଯ୍ୟଟନ କେନ୍ଦ୍ରରେ ପହଞ୍ଚିବେ। କୁହାଯାଉଛି ଅତୀତରେ ଏହି ସ୍ଥାନ ସହିତ ଚାଇନାର ବ୍ୟବସାୟିକ ସମ୍ପର୍କ ରହିଥିଲା। ବେଶ୍ କିଛି ସ୍ଥାନୀୟ ସାହିତ୍ୟରେ ଏହାର ବର୍ଣ୍ଣନା କରାଯାଇଛି। ଏହି ଅବସରରେ ୧୫୦୦ ବର୍ଷ ତଳର ଏହି ସମ୍ପର୍କର ସ୍ମୃତିଚାରଣ ହେବ ବୋଲି ଆଶଙ୍କା କରାଯାଉଛି।
ଏନେଇ ଚାଇନାର ବୈଦେଶିକ ଉପମନ୍ତ୍ରୀ ଲୁଓ ଝାଓହୁଇ କହିଛନ୍ତି, ଏହି ସମ୍ମିଳନୀ ପାଇଁ ଉଭୟ ରାଷ୍ଟ୍ର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉଭୟ ପକ୍ଷର ପ୍ରୟାସରେ ଜିନ୍ପିଙ୍ଗଙ୍କ ଏହି ଭାରତ ଗସ୍ତ ସଫଳ ହେବ ଏବଂ ଭବିଷ୍ୟତର ଆଲୋଚନା ପାଇଁ ଭିତ୍ତି ଓ ମାର୍ଗ ପ୍ରସ୍ତୁତ ହେବ। ଏହା ଅନୌପଚାରିକ ବୈଠକ ହୋଇଥିବାରୁ ଉଭୟ ରାଷ୍ଟ୍ରନେତା ହାଲକା ପରିବେଶରେ ବେଶ କିଛି ସମୟ ବିତାଇବେ ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସୀମିତ ନ ରହି ଆଲୋଚନା କରିବେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି। ଅନୁବାଦକଙ୍କ ମାଧ୍ୟମରେ ଏହି ଆଲୋଚନା ଚାଇନା-ଭାରତ ସମ୍ପର୍କ ସୁଧାରିବା ଉଦ୍ଦିଷ୍ଟ ବୋଲି ପୂର୍ବରୁ କୁହାଯାଇଥିଲା। ତେବେ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ପାକିସ୍ତାନର ବିରୋଧକୁ ଚାଇନା ସମର୍ଥନ ଜଣାଇବା ଏଥିରେ ପ୍ରତିକୂଳ ସାଜିଥିଲା। ଏହା ବର୍ତ୍ତମାନର ବୈଠକରେ ସୁଧୁରିବା ଆଶା କରାଯାଉଛି।
ଜିନ୍ପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ୨୦୦୦ ଛାତ୍ରଛାତ୍ରୀ ତାଙ୍କ ଭଳି ମୁଖା ପିନ୍ଧି ଜିନ୍ପିଙ୍ଗଙ୍କୁ ସ୍ୱାଗତ ଉଦ୍ଦିଷ୍ଟ ଚାଇନାର ଭାଷା ମାଣ୍ଡାରିନ୍ ଲିପିରେ ଏକ ଫର୍ମେସନ୍ କରିଛନ୍ତି। ଏହା ପଛକୁ ‘ହାର୍ଟି ୱେଲକମ୍ ବୋଲି ଏକ ଲେଖା ରହିଛି।’ ଏପରି ସ୍ୱାଗତ ବ୍ୟତୀତ ଚେନ୍ନାଇ ବିମାନବନ୍ଦର ମଧ୍ୟ ଜିନ୍ପିଙ୍ଗଙ୍କୁ ଅପେକ୍ଷା କରି ସଜେଇ ହୋଇ ରହିଛି। ଏହି ଅଞ୍ଚଳରେ କଡ଼ା ସୁରକ୍ଷା କରାଯିବା ସହ ଉଭୟ ରାଷ୍ଟ୍ରର ପତାକା ଲଗାଯାଇଛି। ଏହି ବିମାନବନ୍ଦରକୁ ସମ୍ପୂର୍ଣ୍ଣ ପାରମ୍ପରିକ ଭାବେ କଦଳୀ ପତ୍ର, ଫୁଲମାଳ ଏବଂ ଫଳରେ ସଜାଯିବ। ଏହା ପୂର୍ବରୁ ତାମିଲନାଡ଼ୁ ବିଜେପି ପକ୍ଷରୁ ଚେନ୍ନାଇରେ ନୌକା ରାଲି କରାଯାଇଥିଲା।
ମୋଦି ଏବଂ ଜିନ୍ପିଙ୍ଗଙ୍କ ମଧ୍ୟରେ ଏପରି ଅନୌପଚାରିକ ବୈଠକ ହେବା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଚାଇନାର ଉହାନ୍ ପ୍ରଦେଶରେ ଏଭଳି ବୈଠକ ହୋଇଥିଲା। ଗତବର୍ଷ ଏପ୍ରିଲ ୨୭ ଏବଂ ୨୮ରେ ଏହି ବୈଠକ ହୋଇଥିଲା। ତେବେ ବର୍ତ୍ତମାନ ଗସ୍ତରେ ଚାଇନା କମ୍ପାନୀ ହୁଆୱିର ୫ଜି ରୋଲ୍ ଆଉଟ୍ ବିଷୟରେ ଆଲୋଚନା ହେବ ବୋଲି ସୂଚନା ରହିଛି। ଏତଦ୍ବ୍ୟତୀତ ପୂର୍ବଥର ପରି ଜିନ୍ପିଙ୍ଗ ମୋଦିଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ବୋଲି ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହା ଭାରତ, ଚାଇନା ଏବଂ ନେପାଳର ବନ୍ଧୁତ୍ୱକୁ ପ୍ରତିଫଳିତ କରିବ। ପୂର୍ବରୁ ଉହାନ୍ ଗସ୍ତରେ ମୋଦି ଜିନ୍ପିଙ୍ଗଙ୍କୁ ସ୍ୱତନ୍ତ୍ର ଉପହାର ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।