ବାରାଣାସୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା କରିବା ମାମଲାରେ ଫଶିଯାଇଛନ୍ତି ଜଣେ ଦମ୍ପତ୍ତି। ୯ ଦିନ ହେବ ସେମାନେ ଜେଲରେ ଅଛନ୍ତି। ଅନ୍ୟପଟେ ତାଙ୍କର ୧୪ ମାସର ଝିଅ ଚମ୍ପକ ନିଜ ବାପା-ମାକୁ ଖୋଜି କାନ୍ଦୁଛି। ବାପାମା’ଙ୍କର ସ୍ନେହ ଟିକିଏ ପାଇବା ପାଇଁ ଏବେ ପୂରା ପରିବାରକୁ ନାକେଦମ କରିଦେଇଛି ଚମ୍ପକ। ପରିବାରର ସବୁ ଲୋକ ଏବେ ଚମ୍ପକକୁ ବୁଝାଇବା ପାଇଁ ପ୍ରୟାସ କରୁଛନ୍ତି।
ସୂଚନାଯୋଗ୍ୟ, ଚମ୍ପକର ବାପା ରବି ଶେଖର ଏବଂ ମା’ ଏକତାଙ୍କୁ ପୁଲିସ ଗିରଫ କରିଛି। ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ବାରାଣାସୀରେ କ୍ଲାଇମେଟ ଏଜେଣ୍ଡା ନାମରେ ଏକ ଏନଜିଓ ଚଳାଉଛନ୍ତି ଅର୍ଥାତ୍ ପେସାରେ ସାମାଜିକ କର୍ମୀ। ଦୁଇ ଜଣ ଡିସେମ୍ୱର ୧୯ରେ ସିଏଏକୁ ବିରୋଧ କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି।
ସ୍ୱାମୀ-ସ୍ତ୍ରୀ ଗିରଫ ହେବା ପରେ ଝିଅ ଚମ୍ପକ ଏବେ କାନ୍ଦି କାନ୍ଦି ନୟାନ୍ତ ହୋଇଗଲାଣି। ପରିବାର ଅନ୍ୟ ସଦସ୍ୟମାନେ ମଧ୍ୟ ଚମ୍ପକକୁ ବୁଝାଇବାରେ ବିଫଳ ହୋଇଗଲେଣି। ନିଜ ବାପା, ମାଆଙ୍କର ଫଟୋ ଦେଖିବା ମାତ୍ରେ ଚମ୍ପକ କାନ୍ଦି ଉଠୁଛି। ଛୋଟ ଛୁଆ ପରିବାର ଲୋକ କେମିତି ବା ବୁଝାଇବେ ତାର ବାପା-ମାଙ୍କୁ ପୁଲିସ ବାନ୍ଧି ନେଇଛି। ଏବେ ଏଭଳି ସ୍ଥିତି ଦେଖି ସାଂସଦ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲୋକମାନେ ନେହୁରା ହୋଇ କହିଛନ୍ତି, ଚମ୍ପକର ବାପା-ମାଙ୍କୁ ଦୟାପରବଶ ହୋଇ ଜେଲରୁ ଛାଡ଼ିଦେବାକୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।