ନୂଆଦିଲ୍ଲୀ: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ପୂର୍ବଆକଳନ ଅନୁଯାୟୀ ଆଜି କେରଳ ଛୁଇଁଛି ମୌସୁମୀ। ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ନବ ନିଯୁକ୍ତ ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ବର୍ଷାର ମାତ୍ରା ଆଗାମୀ ଦୁଇ ତିନ ଦିନ ମଧ୍ୟରେ କେରଳରେ ଅଧିକ ରହିବ ବୋଲି ଆକଳନ କରାଯାଇଛି। ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ରେଡ୍, ୟଲୋ, ଓରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଭିତରେ ୩୫ରୁ ୪୫ କିଲୋମିଟର ଭିତରେ ପବନ ବହିବ ବୋଲି ଜଣାପଡ଼ିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।
ପ୍ରତିବର୍ଷ ଜୁନ ପହିଲା ବେଳକୁ ସାରା ଦେଶରେ ମୌସୁମୀ ପ୍ରାୟତଃ ସକ୍ରିୟ ହୋଇଯାଇଥାଏ। ହେଲେ ଚଳିତଥର ପାଖାପାଖି ୮ ଦିନ ବିଳମ୍ୱ ହୋଇଛି। ଏବଂ ସାରା ଦେଶରେ ମୌସୁମୀ ସକ୍ରିୟ ହେବାକୁ ଆହୁରି ସପ୍ତାହେ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ବେସରକାରୀ ପାଣିପାଗ ଗବେଷଣା ସଂସ୍ଥାନ ସ୍କାଏମେଟ ପୂର୍ବରୁ ଆକଳନ କରି କହିଛି ଯେ ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରେ ସବୁଠାରୁ କମ୍। ୧୯୫୪ ମସିହାରେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତଥର ସେହିଁ ଅବଧିରେ ୯୯ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଅର୍ଥାତ୍ ୬୫ ବର୍ଷ ପରେ ସବୁଠୁ କମ୍ ବର୍ଷା ହୋଇଛି ଚଳିତ ବର୍ଷ। କିନ୍ତୁ ପ୍ରତିବର୍ଷ ପ୍ରାକ୍ ମୌସୁମୀ ବର୍ଷା ୧୩୧.୫ ମିଲିମିଟର ହୋଇଥାଏ।
ସେହିପରି ମହାରାଷ୍ଟ୍ର, ବିହାର, ରାଜସ୍ଥାନ ଆଦି ରାଜ୍ୟରେ ଆହୁରି ସପ୍ତାହେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ ହୋଇଛି। ଦୀର୍ଘ ଦିନ ଧରି ବର୍ଷା ନହୋଇଥିବାରୁ ଚାଷ କାମରେ ପାଣିର ଘୋର ଅଭାବ ଦେଖାଦେଇଥିବା ଜଣାପଡ଼ିଛି। ରାଜସ୍ଥାନ, ମହରାଷ୍ଟ୍ରରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି।