ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାକୁ ୧୪ ଦିନ ବିତିଛି। ବିକ୍ରମ ବାବଦରେ ସୂଚନା ପାଇବା ପରବର୍ତ୍ତୀ ୧୪ ଦିନ ପାଇଁ ଅସମ୍ଭବ। କାରଣ ଏବେ ଚନ୍ଦ୍ରରେ ଘନ ଅନ୍ଧକାର ରହିଛି। ପୃଥିବୀର ୧୪ ଦିନ ସମାନ ଚନ୍ଦ୍ରର ଗୋଟିଏ ଦିନ ସହିତ ସମାନ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ବୈଜ୍ଞାନିକଙ୍କ ମତରେ ବିକ୍ରମ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ୨୦୦ କିଲୋମିଟର ବେଗରେ ଯାଇ ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଚନ୍ଦ୍ର ପୃଷ୍ଠରେ ଘୂରି ବୁଲୁଥିବା ଅର୍ବିଟର ପଠାଇଥିବା ଥର୍ମାଲ୍ ଫଟୋରୁ ବୈଜ୍ଞାନିକମାନେ ଏହା ହୃଦବୋଧ କରିଛନ୍ତି। ବେଗ ଅଧିକ ରହିଥିବାରୁ ବିକ୍ରମର ପାଦ ଚନ୍ଦ୍ରର ଭୂପୃଷ୍ଠରେ ପଶି ଯାଇଛି ନଚେତ ମୋଡ଼ି ହୋଇଯାଇଛି। କୁହାଯାଉଛି ଅଟୋମେଟିକ ଲ୍ୟାଣ୍ଡିଂ ପ୍ରୋଗ୍ରାମରେ କିଛି ଯାନ୍ତ୍ରିକ ତୃଟି ଥିବାରୁ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିପାରିନଥିଲା।
ଇସ୍ରୋ ମୁଖ୍ୟ ତଥା ରକେଟ୍ ମ୍ୟାନ୍ କେ. ଶିବନ ଆଜି ଭୁବନେଶ୍ୱରକୁ ଆସିଥିବାବେଳେ ଗଣମାଧ୍ୟମକୁ କହିଛନ୍ତି ଏ ୧୪ ଦିନ ପାଇଁ ବିକ୍ରମ ବାବଦରେ କୌଣସି ଖବର ନେଇ ହେବ ନାହିଁ। କାରଣ ଚନ୍ଦ୍ରରେ ରାତି ହୋଇଛି। ସେଠାରେ ଏବେ ତାପମାତ୍ରା ବିଯୁକ୍ତ ୧୮୦ ଡିଗ୍ରୀ ରହିଛି। ଲ୍ୟାଣ୍ଡର ବିକ୍ରମକୁ ସତେଜ ରହିବା ପାଇଁ ଯେଉଁ ୧୪ ଦିନର ଶକ୍ତି ଦିଆଯାଇଥିଲା ତାହା ଶେଷ ହୋଇଯାଇଛି। ଏମିତିକି ରିଚାର୍ଜ କରିବା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି।
ଇସ୍ରୋର ଆଉ ଜଣେ ଅଧିକାରୀ କହିଛନ୍ତି ତାପମାତ୍ରା କମିଥିବାରୁ ଲ୍ୟାଣ୍ତର ବିକ୍ରମ ସମ୍ପୂର୍ଣ୍ଣ ଥଣ୍ଡା ହୋଇଯାଇଛି। ଯଦି ତା ଭିତରେ ଆଇସୋଟପ୍ ରହିଥାନ୍ତା ତାହେଲେ ସତେଜ ରହିପାରିଥାନ୍ତା। ସେହିପରି ଅକ୍ଟୋବର ୭ ରୁ୨୦ ଲୁନାର ଡେ ବା ଚନ୍ଦ୍ରମାସ ରହିବ। ଏହି ସମୟରେ ଚନ୍ଦ୍ର ଅଧିକ ସଫା ଦେଖାଯାଏ। ତେଣୁ ଅକ୍ଟୋବର ୧୪ରେ ପୁଣିଥରେ ବିକ୍ରମ ବାବଦରେ ଖବର ନେବା ପାଇଁ ଇସ୍ରୋ ପ୍ରୟାସ କରିବ। ଚନ୍ଦ୍ରରେ ଅର୍ବିଟର ସଂଯୋଗ ରହିଛି। ସେଥିରେ ୮ଟି ଭିନ୍ନ ଭିନ୍ନ ଉପକରଣ ସଂଯୋଗ ହୋଇଛି। ସମସ୍ତ ଉପକରଣ ସଠିକ୍ ଭାବରେ କାମ କରୁଛି।