ନୂଆଦିଲ୍ଲୀ: ଗୋଟିଏ ପଟେ ସରକାର କରୋନାକୁ କାବୁ କରିବାରେ ସଫଳ ହୋଇଛନ୍ତି ବୋଲି ସଂସଦରେ କହିଛନ୍ତି। ଅନ୍ୟପଟେ କରୋନା ରିପୋର୍ଟକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ଜଣେ ସାଂସଦ। ଯାହାକି ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜସ୍ଥାନର ନାଗୋରର ସାଂସଦ ହନୁମାନ ବେନିୱାଲ ଏହି ପ୍ରଶ୍ନ ଉଠାଇଛନ୍ତି।
ଆରଏଲପିର ସାଂସଦ ବେନିୱାଲ ଟ୍ୱିଟ୍ କରି କରୋନା ପରୀକ୍ଷାରେ ଅନିୟମିତତା ହେଉଥିବା ସେ କହିଛନ୍ତି। ସେ ଦୁଇଟି କରୋନା ରିପୋର୍ଟର ଏକ ଫଟୋ ରଖି ଲେଖିଛନ୍ତି, 'ମୁଁ ଲୋକସଭା ପରିସରରେ କୋଭିଡ-୧୯ ପରୀକ୍ଷା କରିଥିଲି, ରିପୋର୍ଟ ପଜିଟିଭ୍ ଆସିଛି, ଏହାର ପରେ ରାଜସ୍ଥାନ ଜୟପୁରରେ ଏସ୍ଏମ୍ଏସ୍ ମେଡିକାଲରେ କରୋନା ପରୀକ୍ଷା କରିଥିଲି। ଯାହାର ରିପୋର୍ଟ ନେଗେଟିଭ୍ ଆସିଛି'। କେଉଁଟା ଠିକ୍ ବୋଲି ସେ ଜବାବ ମାଗିଛନ୍ତି।
https://twitter.com/hanumanbeniwal/status/1305430435774648321
ବେନିୱାଲ ଲେଖିଛନ୍ତି ଯେ ସେପ୍ଟେମ୍ବର ୧୧, ୨୦୨୦ ରେ ଲୋକସଭା ପରିସରରେ ମୁଁ ଟେଷ୍ଟ କରିଥିଲି। ସେପ୍ଟେମ୍ବର ୧୩ ସକାଳେ ଲୋକସଭାର ସଚିବ ରିପୋର୍ଟ ଦେଲେ ପଜିଟିଭ୍। ଏହି ସମୟରେ ମୁଁ ଜୟପୁରରେ ଥିଲି। ତେବେ ସେ ଡାକ୍ତରଙ୍କ ପରାମର୍ଶ ପରେ ଜୟପୁର ଏସଏମଏସ ମେଡିକାଲ କଲେଜରେ ପୁଣି ଥରେ କରୋନା ପରୀକ୍ଷା କରାଇଥିଲେ। ଯାହାର ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ହନୁମାନ ବେନିୱାଲ ମାସେ ପୂର୍ବରୁ କରୋନାରୁ ଆରୋଗ୍ୟ ହୋଇଥିଲେ। ପଜିଟିଭରୁ ନେଗେଟିଭ୍ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ସେ ୧୪ ଦିନ ଘରେ ରହିଥିଲେ ବୋଲି ସୂଚନା ରହିଛି।