ମୁମ୍ୱାଇ: ମୁମ୍ବାଇ ଏଲ୍ଫିନଷ୍ଟୋନ ଷ୍ଟେସନ ଟ୍ରାଜେଡି ପରେ ଆଖି ଖୋଲିଛି ରେଳ ବିଭାଗର। ମୁମ୍ବାଇର ଜନଗହଳିପୂର୍ଣ୍ଣ ଷ୍ଟେସନରେ ଲାଗିବ ଏସ୍କାଲେଟର। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସମସ୍ତ ଜନଗହଳିପୂର୍ଣ୍ଣ ଷ୍ଟେସନରେ ମଧ୍ୟ ଏସ୍କାଲେଟର ବ୍ୟବସ୍ଥା କରିବାକୁ ଆଜି ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରେଳମନ୍ତ୍ରୀ ପୀୟୂଷ ଗୋଏଲ ନିର୍ଦ୍ଦେଶ ଦେଇଛନ୍ତି।
ଯାତ୍ରୀ ନିରାପତ୍ତା ପାଇଁ ଯେତେ ଟଙ୍କା ଆବଶ୍ୟକ, ତାହା ଖର୍ଚ୍ଚ କରିବା ପାଇଁ ସମସ୍ତ ମହାପ୍ରବନ୍ଧକମାନଙ୍କୁ ଅଧିକାର ଦିଆଯାଇଛି। ପ୍ରଶାସନିକ ସ୍ତରରେ ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି ନିରାପତ୍ତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ମହାପ୍ରବନ୍ଧକମାନଙ୍କୁ ଏଭଳି ଅଧିକାର ଦିଆଯାଇଥିବା ରେଳମନ୍ତ୍ରୀ କହିଛନ୍ତି। ଏଥିସହ ୧୫ ମାସ ମଧ୍ୟରେ ମୁମ୍ବାଇରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍ରେ ସିସିଟିଭି ଲଗାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ଦଳା ଚକଟାଘଟଣାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି।