ଅମରାବତୀ: ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଏକ ରହସ୍ୟମୟ ରୋଗ ସାମ୍ନାକୁ ଆସିଛି। ଏହି ରହସ୍ୟମୟ ରୋଗ କାରଣରୁ ଲଗାତର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ରାତିରୁ ଆଜି ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ଓ ଡିସଚାର୍ଜ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି। ଏଲୁରୁସ୍ଥିତ ସରକାରୀ ହସ୍ପିଟାଲର ସୁପରିଟେନଣ୍ଡେଣ୍ଟ ଡାକ୍ତର ଏହି ସୂଚନା ଦେଇଛନ୍ତି।
ତେବେ ବଡ଼ କଥା ହେଉଛି ଏହି ରୋଗର କାରଣ କ'ଣ ଡାକ୍ତର ଖୋଜି ବାହାର କରିପାରୁନାହାନ୍ତି। ଶନିବାର ଏଲୁରୁ ସହରରେ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବା ଲକ୍ଷଣ ପରେ ପିଲାଙ୍କ ସମେତ ମୋଟ ୧୮ଜଣ ଲୋକେ ହଠାତ୍ ଅଚେତ୍ ହୋଇପଡ଼ିଥିଲେ। ତେବେ ଅସୁସ୍ଥ ହେବାର କିଛି ମିନିଟ୍ ପରେ ସମସ୍ତେ ସ୍ୱାଭାବିକ ହୋଇଥିଲେ। ତେବେ ଏହି ରହସ୍ୟମୟ ରୋଗ ଖବର ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।