ଚେନ୍ନାଇ: ଚେନ୍ନାଇ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେନ୍ନାଇ ଏବଂ ଆଖପାଖ ଅଞ୍ଚଳରେ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୋଦି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟକୁ କେନ୍ଦ୍ର ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଗତ ଦୁଇ ସପ୍ତାହ ଧରି ଲଗାଣ ବର୍ଷାରେ ବ୍ୟାପକ କ୍ଷତି ସହଛି ତାମିଲନାଡ଼ୁ। ରାଜ୍ୟରେ ବର୍ଷା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅବସରରେ ମୋଦି ଚେନ୍ନାଇର ଏକ ଦୈନିକ ଖବର କାଗଜର ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ମାଦ୍ରାସ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେଗଣତନ୍ତ୍ରରେ ସାମ୍ବାଦିକଙ୍କ ଗୁରୁତ୍ୱକୁ ନିଜ ଅଭିଭାଷଣରେ ସ୍ଥାନ ଦେଇଛନ୍ତି ମୋଦି ।
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି ସେ ସମ୍ବୋଧନ କରିଛନ୍ତି । ଗଣମାଧ୍ୟମ କେବଳ ଖବର ପ୍ରସାରଣ କରେ ନାହିଁ । ବରଂ ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ କରିଥାଏ। ବିଶ୍ୱ ସହ ସଂଯୋଗ କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ୍ ଯୋଗଦେଇଥିଲେ।
ଏହିପରିପ୍ରେକ୍ଷୀରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମକେ ମୁଖ୍ୟ କରୁଣାନିଧିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୁଣାନିଧିଙ୍କୁ ତାଙ୍କ ଚେନ୍ନାଇସ୍ଥିତ ବାସଭବନରେ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହ କରୁଣାନିଧିଙ୍କୁ ମୋଦି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନକୁ ନିମନ୍ତ୍ରଣ କରିଛନ୍ତି । ୧୫ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୀର୍ଘ ଦିନ ଧରି କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ରହିଛି। ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି॥ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ କରୁଣାନିଧିଙ୍କୁ ଭେଟିଛନ୍ତି ମୋଦି।