ନୂଆଦିଲ୍ଲୀ: ଆଜିକୁ ୧୨୫ ବର୍ଷ ତଳେ ବିଶିଷ୍ଟ ଚିନ୍ତାନାୟକ ଓ ଦିଗ୍ଦର୍ଶକ ସ୍ୱାମୀ ବିବେକାନନ୍ଦ, ପାଶ୍ଚାତ୍ୟ ଦୁନିଆରେ ନିଜ ଅଭିଭାଷଣରେ ସାରା ବିଶ୍ୱର ହୃଦୟ ଜିତି ପାରିଥିଲେ। ସାରା ବିଶ୍ୱକୁ ଐକ୍ୟଶକ୍ତି ସହ ପରିଚିତ କରାଇଥିଲେ। ଦେଶ ବାହାରେ ଭାରତୀୟ ସଂସ୍କୃତିର ମହାନତା ସଂପର୍କରେ ବୁଝେଇଥିଲେ। ଦେଶ ଭିତରର ସମସ୍ୟା ଓ ସାମାଜିକ କୁସଂସ୍କାର ସମ୍ପର୍କରେ ମଧ୍ୟ କହିଥିଲେ। ଆଜି ହେଉଛି ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଉଦବୋଧନର ୧୨୫ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଶତବାର୍ଷିକୀ। ଏହି ଅବସରରେ ୟଙ୍ଗ୍ ଇଣ୍ଡିଆ- ନ୍ୟୁ ଇଣ୍ଡିଆ ଛାତ୍ର ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣ ପ୍ରଦାନ କରିଛନ୍ତି।
ସେ କହିଛନ୍ତି- “ଯେଉଁ ଲୋକ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଅଛନ୍ତି, ସେମାନଙ୍କର ବନ୍ଦେ ମାତରମ ନାରା ଦେବାର କୌଣସି ଅଧିକାର ନାହିଁ।” ଏହି ଅବସରରେ ମୋଦି ସାଧାରଣ ଲୋକଙ୍କୁ ନିଜର ସ୍ଲୋଗାନ୍ ଦେଇଥିଲେ। ତାହା ହେଲା- ‘ଫଲୋ ଦି ରୁଲ୍, ଇଣ୍ଡିଆ ଉଇଲ୍ ରୁଲ୍’। ଅର୍ଥାତ ଆପଣ ନିୟମକୁ ଫଲୋ କରନ୍ତୁ, ଭାରତ ସାରା ବିଶ୍ୱରେ ରାଜୁତି କରିବ। ଯିଏ ଏବଂ ଯାହା ସମାଜ ପାଇଁ ଖରାପ, ତାକୁ ଆମକୁ ଛାଡ଼ିବାକୁ ପଡ଼ିବ।