ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବ ୭୪ତମ ସ୍ୱାଧୀନତା ଦିବସ। କରୋନା କଟକଣା ଭିତରେ ପ୍ରଥମଥର ପାଇଁ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି ଦେଶବାସୀ। ଏହାପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ହୁହୁ ହୋଇ ବଢ଼ୁଥିବା ମହାମାରୀ ଭିତରେ ଦେବଦୂତ ହୋଇ ଛିଡ଼ା ହୋଇଥିବା କରୋନା ଯୋଦ୍ଧାରୁ ରାଷ୍ଟ୍ରପତି କୋବିନ୍ଦ ପ୍ରଶଂସା କରିଛନ୍ତି। କରୋନା ଯୋଦ୍ଧାମାନେ ଯେଉଁ ଭଳି ମହାମାରୀର ମୁକାବିଲା କରିଛନ୍ତି, ଏଥିପାଇଁ ଦେଶ ସର୍ବଦା ସେମାନଙ୍କ ପାଖରେ ଋଣି ହୋଇ ରହିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, ଚଳିତ ବର୍ଷ କରୋନା କଟକଣା ଭିତରେ ସ୍ୱାଧୀନତା ଦିବସ ପାଳନ କରାଯିବ। ସ୍ୱାଧୀନତା ଦିବସ ସମାରୋହ ଧୂମଧାମରେ ପାଳନ ହେବନି। କରୋନା ପାଇଁ ଆମ ସମସ୍ତଙ୍କ ଜୀବନଧାରା ବଦଳି ଯାଇଛି। କରୋନା ପାଇଁ ଆମର ସବୁ କାମ ପ୍ରଭାବିତ ହୋଇଛି।
ତେବେ ଠିକଣା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିଛି। କରୋନା ବେଳେ ଭାରତ ଯେଉଁଭଳି ଆଭିମୁଖ୍ୟ ପୋଷଣ କରିଛି, ତାହା ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି। ମହାମାରୀର ମୁକାବିଲା କରି ଅନେକ ଯୋଦ୍ଧା ପ୍ରାଣବଳି ଦେଇଛନ୍ତି।
କରୋନା ଯୋଦ୍ଧାଙ୍କ ଯେତେ ପ୍ରଶଂସା କରାଯିବ, ତାହା କମ୍ ହେବ। ଦେଶ ସର୍ବଦା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ପ୍ରଣ୍ଟ ଲାଇନ କରୋନା ଯୋଦ୍ଧାଙ୍କ ପାଖରେ ଋଣି ହୋଇ ରହିବ। ଏହି କରୋନା ଯୋଦ୍ଧାମାନେ ନିଜ କର୍ତ୍ତବ୍ୟରୁ ଉପରକୁ ଯାଇ ଲୋକଙ୍କ ସେବା କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି।
କରୋନା କରାଳ ଭିତରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବାତ୍ୟା ଅମ୍ପାନରେ ପ୍ରଭାବିତ ହୋଇଥିଲେ। ତେଣୁ ରାଷ୍ଟ୍ରପତି ଓଡ଼ିଶା ଓ ପଶ୍ଚିମବଙ୍ଗ କଥା ଜାତି ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନରେ ସାମିଲ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ବାତ୍ୟା ଅମ୍ପନ ପ୍ରଭୂତ କ୍ଷତିଗ୍ରସ୍ତ କରିଛି। ତେବେ ବିପଦ ସମୟରେ ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିଛନ୍ତି ଓ ଆଗକୁ ମଧ୍ୟ କରିବେ। ସଂକଟ ବେଳେ ଜୀବନ ଜୀବିକା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଲୋକଙ୍କୁ ବିପତ୍ତି ବେଳେ ସାହାଯ୍ୟ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକଟ ବେଳେ ଯେମିତି କେହି ଭୋକରେ ନ ରହିବେ, ସେଥିପାଇଁ ମାଗଣା ରାସନର ବ୍ୟବସ୍ଥା କରାଯାଇଛି। ୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣାରେ ରାସନ ଦେବାକୁ ସରକାର ଘୋଷଣା କରିଛନ୍ତି। ବନ୍ଦେ ଭାରତ ମିଶନରେ ୧୦ ଲକ୍ଷ ଲୋକଙ୍କୁ ସ୍ୱଦେଶ ଅଣାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ରାଷ୍ଟ୍ରପତି ତାଙ୍କ ଉଦବୋଧନ ବେଳେ ଚାଇନା ସହ ଦୀର୍ଘ ୧୭ରୁ ୧୮ ଘଣ୍ଟା ଧରି ସଂଘର୍ଷ କରି ଗଲୱାନ ଭ୍ୟାଲିରେ ସହିଦ ହୋଇଥିବା ଯବାନମାନଙ୍କୁ ବି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।