ମୁମ୍ବାଇ: ବିଦେଶ ଯିବାକୁ ବାହାରିଥିବା ଏନ୍ଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟଙ୍କୁ ମୁମ୍ବାଇ ବିମାନ ବନ୍ଦର ଅଟକାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଉଡ଼ାଣ ପାଇଁ ମନା କରିବା ଅବସରରେ କହିଥିଲେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ପକ୍ଷରୁ ଏପରି କରିବାକୁ କୁହାଯାଇଛି। ପ୍ରଣୟ ଏବଂ ରାଧିକାଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରହିଛି ଏବଂ ସିବିଆଇ ଏହି ମାମଲାର ତଦନ୍ତ କରୁଛି।
ଏହା ଗଣମାଧ୍ୟମ ସ୍ୱାଧୀନତାର କଣ୍ଠରୋଧ ବୋଲି ଏନ୍ଡିଟିଭି ପକ୍ଷରୁ କୁହାଯାଇଛି। ଏନଡିଟିଭି ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି, ଉଭୟ ସାମ୍ବାଦିକ ସପ୍ତାହକ ପରେ ଅର୍ଥାତ ୧୫ ତାରିଖରେ ଭାରତ ଫେରିବାର ଟିକେଟ୍ ମଧ୍ୟ କରିସାରିଥିଲେ। ସେମାନଙ୍କୁ ଏକ ମିଛ ଏବଂ ଭିତ୍ତିହୀନ ଦୁର୍ନୀତି ମାମଲାରେ ଛନ୍ଦି ବିଦେଶ ଯିବାରୁ ଅଟକାଯାଉଛି। ସିବିଆଇ ଗତ ୨ ବର୍ଷ ତଳେ ଏହି ମାମଲା ରୁଜୁ କରିଥିବା ଏନ୍ଡିଟିଭି ପକ୍ଷରୁ କୁହାଯାଇଛି।
ଏନ୍ଡିଟିଭି ପକ୍ଷରୁ କୁହାଯାଇଛି, “ଏହି ମାମଲା ବିଚାରାଧୀନ ରହିଥିଲେ ମଧ୍ୟ ଦିଲ୍ଲୀ କୋର୍ଟଙ୍କୁ ଆଜିର ପଦକ୍ଷେପ ବାବଦରେ କୁହାଯାଇନାହିଁ। ଏହି ଦୁଇ ଜଣ ତଦନ୍ତରେ ସହଯୋଗ କରି ଆସୁଥିଲେ। ପୂର୍ବରୁ ଗଣମାଧ୍ୟମ ମାଲିକମାନଙ୍କ ଉପରେ ବିଭିନ୍ନ ସମୟରେ କରାଯାଇଥିବା ରେଡ୍ ସହ ଆଜିର ଘଟଣାରୁ ଏକଥା ସ୍ପଷ୍ଟ ଯେ ଯେଉଁ ଗଣମାଧ୍ୟମ ସରକାରଙ୍କ ବୋଲକରା ହେବାକୁ ରାଜି ନ ହେବ, ତାକୁ ଏଭଳି ସମସ୍ୟାର ସାମ୍ନା ହେବାକୁ ପଡ଼ିବ।”