କାଠମାଣ୍ଡୁ: ଗତ ଏପ୍ରିଲ ୨୫ ତାରିଖର ଭୟାବହ ଭୂକଂପର ଦୁଇ ସପ୍ତାହ ପରେ ଆଜି ନେପାଳରେ ପୁଣି ଉଚ୍ଚଶକ୍ତି ସଂପନ୍ନ ଭୂକଂପ ଅନୁଭୁତ ହୋଇଛି। ଗୋଟିଏ ବଡ଼ ଭୂକଂପ ପରେ ଆହୁରି ୫ଟି ପଶ୍ଚାତ ଭୂକଂପ ଝଟକା ଲାଗିଥିଲା। ଏଥିରେ ଏପର୍ଯ୍ୟନ୍ତ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସେହିପରି ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
କାଠମାଣ୍ଡୁର ଘଣ୍ଟାଘରରେ ଫାଟ ଦେଖାଯାଇଛି। ଗତ ବଡ଼ ଭୂକଂପ ବେଳେ ଘଣ୍ଟାଘରର ଘଣ୍ଟା ବନ୍ଦ ହୋଇଯାଇଥିଲା। ଚୌତାରେର ଏକ କୋଠା ଭୁଶୁଡ଼ି ପଡ଼ିଛି। ସେହିପରି ଭୂକଂପ ବେଳେ କାଠମାଣ୍ଡୁରେ ଚାଲିଥିଲା ସଂସଦ। ଆଉ ସମସ୍ତ ସାଂସଦ ଭୟରେ ଧାଇଁ ଯାଇଥିଲେ।
ଦିନ ୧୨ଟା ୩୫ରୁ ୧ଟା ୫୫ ମଧ୍ୟରେ ୬ଟି ଭୂକଂପ ଝଟକା ଅନୁଭୁତ ହୋଇସାରିଥିଲା। ପ୍ରଥମ ଝଟକ୍ ଅନୁଭୁତ ହୋଇଥିଲା ଦିନ ୧୨ଟା ୩୫ ମିନିଟରେ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୭.୩। କାଠମାଣ୍ଡୁଠାରୁ ୮୨ କିଲୋମିଟରର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। ଆଉ ଏହା ଥିଲା ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୂକଂପ ପରେ ସବୁଠୁ ବଡ଼ ଝଟକା। ଗତ ମାସରେ ହୋଇଥିବା ସେହି ବିନାଶକରୀ ଭୂକଂପର ତୀବ୍ରତା ଥିଲା ୭.୯।
୭.୩ ତୀବ୍ରତା ବିଶିଷ୍ଟ ଭୂକଂପ ଝଟକାର ପ୍ରାୟ ଏକ ଘଣ୍ଟା ବ୍ୟବଧାନରେ ନେପାଳରେ ଆହୁରି ୫ଟି ପଶ୍ଚାତ ଝଟକା ଅନୁଭୁତ ହୋଇଥିଲା। ଦ୍ୱିତୀୟ ଝଟକା ଅନୁଭୁତ ହୋଇଥିଲା ୧୨ଟା ୪୭ ମିନିଟରେ। ଏହାର ତୀବ୍ରତା ଥିଲା ୫.୬। ଏହା ପରେ ତୃତୀୟ ଝଟକା ଅନୁଭୁତ ହୋଇଥିଲା ୧ଟା ୬ ମିନିଟରେ। ଏହାର ତୀବ୍ରତା ଥିଲା ୬.୩। ଚତୁର୍ଥ ଝଟକା ୧ଟା ୩୬ ମିନିଟରେ ଅନୁଭୁତ ହୋଇଥିଲା ଓ ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫। ଏହା ପରେ ୧ଟା ୪୪ ଓ ୧ଟା ୫୫ରେ ପୁଣି ଆଉ ଦୁଇଟି ଭୂକଂପ ଝଟକା ଅନୁଭୁତ ହୋଇଥିଲା।
ଆଫଗାନିସ୍ତାନ ଓ ଚୀନରେ ମଧ୍ୟ ଭୂକଂପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଏହାର ତୀବ୍ରତା ୬.୯ ଥିବା ବେଳେ ଚୀନର ଝାମରେ ଏହାର ତୀବ୍ରତା ଥିଲା ୭.୪।