ନୂଆଦିଲ୍ଲୀ: ଅକ୍ଟୋବର ୩୧ରେ ବିଧିବଦ୍ଧ ଜମ୍ମୁ-କଶ୍ମୀର ବିଭାଜନ ହେବ। ଏହା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପରିଣତ ହେବ। ତେବେ ଏହା ପୂର୍ବରୁ ଦେଶର ରାଜଧାନୀରେ ହାଇ ଆଲର୍ଟ ଜାରି କରି ବ୍ୟାପକ ସୁରକ୍ଷା କର୍ମୀ ମୂତୟନ କରାଯାଇଛି। ଜମ୍ମୁ-କଶ୍ମୀର ବିଭାଜନକୁ ବିରୋଧ କରି କିଛି ଅଘଟଣ ହେବାନେଇ ଗୁଇନ୍ଦା ସୂଚନା ରହିଥିବାରୁ ଏହାର ଆଧାରରେ ଏଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ, ବେଶ୍ କିଛି ଆତଙ୍କବାଦୀ ସଂଗଠନ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡ ଏବଂ ଆତଙ୍କବାଦୀ ହମ୍ଲା ଘଟାଇବାର ଅଛି।
ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଟାର୍ଗେଟ୍ରେ ନୂଆଦିଲ୍ଲୀ ମଧ୍ୟ ରହିଛି। ଆତଙ୍କବାଦୀଙ୍କ ଆକ୍ରମଣ ତାଲିକାରେ ବେଶ୍ କିଛି ସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳିପୂର୍ଣ୍ଣ ସ୍ଥାନ ରହିଛି। ବିଭିନ୍ନ ସୁରକ୍ଷାବାହିନୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁରୁତ୍ୱପୂର୍ଣ୍ଣ କୋଠା ସବୁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ବିଭାଜନ ସହ ପ୍ରଥମ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ସିଂହ ଏହାର ଦାୟିତ୍ୱ ନେବେ। ଏହାପରଠାରୁ ଜମ୍ମୁ-କଶ୍ମୀର ଏକ ରାଜ୍ୟ ବଦଳରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଚିତ ହେବ। ଏହା ଆଗରୁ ନୂଆଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣକୁ ଆଖି ଆଗରେ ରଖି ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଆଜି ଅନୁଷ୍ଠିତ ହୋଇଛି।