ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରିବାକୁ ଯାଇ ହିଂସା ଘଟାଇଥିବା ୧୦୦ ଅଭିଯୁକ୍ତଙ୍କ ନିକଟରେ କ୍ଷତି ପୂରଣ ଭରଣ କରିବାକୁ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା। ସରକାର ଏହି କ୍ଷତିଭରଣ ପାଇଁ ଗଠନ କରିଥିବା କମିଟି ଜରିଆରେ ଅଭିଯୁକ୍ତଙ୍କ ପାଖରୁ ଜବାବ ମାଗିଛନ୍ତି। ଅନ୍ୟପଟେ ହିଂସା ବେଳେ ହୋଇଥିବା ମୃତ୍ୟୁ ବାବଦରେ ଉତ୍ତର ପ୍ରଦେଶ ପୁଲିସ ପାଖରୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଜବାବ ମାଗିଛି। ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ ୟୁପି ପୁଲିସ ଡିଜିପି ଓ.ପି ସିଂହଙ୍କୁ ନିର୍ଦ୍ଦେଶ ଦେଇଛି ଏନଏଚଆରସି।
ନାଗରିକତା ସଂଶୋଧନ ଆଇନକୁ ନେଇ ଆନ୍ଦୋଳନ ବେଳେ ହୋଇଥିବା ହିଂସା ଘଟଣାରେ ଏଯାବତ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ସିଏଏକୁ ବିରୋଧ କରିବାକୁ ଯାଇ ୧୯ ଡିସେମ୍ୱରରେ ଲକ୍ଷ୍ନୌର ଖଦରା, ହୁସେନାବାଦ ଓ ପରିବର୍ତ୍ତନ ଚୌକରେ ଭଙ୍ଗାରୁଜା ହୋଇଥିଲା। ଏହି ଭଙ୍ଗାରୁଜା ବେଳେ ଅନେକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଛି। ଏବେ ସରକାର ନୋଟିସ ପଠାଇବା ପରେ ଏଡିଏମ କୋର୍ଟରେ ୧୦୦ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ। ଯଦି ପ୍ରମାଣ କରିବାରେ ବିଫଳ ହୁଅନ୍ତି ତା’ହେଲେ ସେମାନଙ୍କ ପାଖରୁ କ୍ଷତି ଭରଣ କରିବେ ସରକାର। ଆନ୍ଦୋଳନ ବେଳେ ପୁଲିସ୍ ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।