ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଧର୍ଷଣ ମାମଲାର ଏକମାତ୍ର ନାବାଳକ ଅପରାଧୀର ସଜ୍ଜା ଅବଧି ଡିସେମ୍ବର ୨୦ ତାରିଖରେ ଶେଷ ହୋଇଯାଉଛି। ଏହା ପରେ ସେ ମୁକ୍ତ ହୋଇଯିବ। ଦିଲ୍ଲୀ ହାଇକୋର୍ଟ ତା’ର ମୁକ୍ତି ଉପରେ ରୋକ୍ ଲଗାଇବାକୁ ମନା କରି ଦେବା ପରେ ସେ ମୁକୁଳିବା ସ୍ପଷ୍ଟ ହୋଇଯାଇଛି। ତେବେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ଏକ ଟିମ୍ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ତା’ଉପରେ ନଜର ରଖିବ।
ଅନ୍ୟପକ୍ଷରେ ଏହି ନାବାଳକ ଦୋଷୀର ମୁକ୍ତି ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇବାକୁ ମନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’। ସେ କହିଛନ୍ତି ଯେ ଆଇନ୍ ଭଗବାନ ନୁହେଁ। ଆଇନ୍ ବଦଳା ଯିବା ଦରକାର ଓ ଦୋଷୀ ଦଣ୍ଡ ପାଇବା ଉଚିତ୍। ତାଙ୍କ ଲଢ଼େଇ ଜାରି ରହିବ। ହାଇକୋର୍ଟଙ୍କ ରାୟ ବିରୋଧରେ ସେ ଓ ତାଙ୍କ ପରିବାର ସୁପ୍ରିମକୋର୍ଟ ଯିବେ।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜି ରୋହିଣୀ ଓ ଜଷ୍ଟିସ୍ ଜୟନ୍ତ ନାଥ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ନାବାଳକକୁ ଡିସେମ୍ବର ୨୦ ତାରିଖ ପରେ ଆଉ ସୁଧାର ଗୃହରେ ରଖା ଯାଇ ପାରିବ ନାହିଁ। ଏହି ଦୋଷୀକୁ ମୁକ୍ତ ନ କରିବା ପାଇଁ ଯେଉଁ ସବୁ ଯୁକ୍ତି ଉପସ୍ଥାପନ କରାଯାଇଛି ସେଗୁଡ଼ିକ ପୂରା ଠିକ୍। କିନ୍ତୁ କୋର୍ଟଙ୍କ ହାତ ଆଇନ ଦ୍ୱାରା ବନ୍ଧା ହୋଇଛି। ଯେକୌଣସି ନାବାଳକୁ ଗୁରୁତର ଅପରାଧ ପାଇଁ ସର୍ବାଧିକ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇପାରିବ ବୋଲି ଆଇନ୍ ରହିଛି। କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏକ କମିଟି ଗଠନ କରିବ। ଏହି କମିଟି ଉକ୍ତ ନାବାଳକ ଦୋଷୀର ଥଇଥାନ ଓ ବ୍ୟବହାର ଉପରେ ନଜର ରଖିବ। ଏହି କମିଟିରେ ଏନଜିଓ ଓ ସାମାଜିକ କାର୍ଯ୍ୟକର୍ତ୍ତା ବି ସାମିଲ ହୋଇପାରିବେ। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨୮ ତାରିଖରେ କରାଯିବ। ସେତେବେଳେ ଏହି କମିଟି ତା’ର ରିପୋର୍ଟ କୋର୍ଟରେ ଦାଖଲ କରିବ।