ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ନାବାଳକ ଅପରାଧୀକୁ ଆଜି ସୁଧାର ଗୃହରୁ ମୁକ୍ତ କରାଯାଇଛି। ଏବେ ତାକୁ ଦିଲ୍ଲୀରେ ଏକ ଏନଜିଓ ହେପାଜତରେ ରଖାଯିବ। ନାବାଳକର ମୁକ୍ତି ପରେ ଇଣ୍ଡିଆ ଗେଟ୍ ଆଗରେ ଶତାଧିକ ଲୋକ ଜମା ହୋଇ ପ୍ରତିବାଦ କରିଛନ୍ତି। ନିର୍ଭୟାର ବାପାମାଆ ଏହାର ନେତୃତ୍ୱ ନେଇଥିଲେ। ପୂର୍ବରୁ ଏପରି ନିଷ୍ପତ୍ତିକୁ ବିରୋଧ କରି ଜନ୍ତରମନ୍ତରରେ ମଧ୍ୟ ଏକ ପ୍ରତିବାଦ ସଭା ହୋଇଥିଲା। ଯେଉଁଥିରେ ଶତାଧିକ ଲୋକେ ସାମିଲ ହୋଇଥିଲେ।
ଆଇନ ଅନୁଯାୟୀ ସୁଧାର ଗୃହରେ ସର୍ବାଧିକ ୩ ବର୍ଷ ରହିବା ପରେ ଏହି ନାବାଳକ ଅପରାଧୀକୁ ଆଜି ମୁକ୍ତ କରି ଦିଆଯାଇଛି। ଜୁଭେନାଇଲ୍ ଆଇନ ଅନୁଯାୟୀ ଜଣେ ନାବାଳକକୁ ଯେକୌଣସି ଗୁରୁତର ଅପରାଧ ପାଇଁ ସର୍ବାଧିକ ୩ ବର୍ଷ ଯାଏଁ ସୁଧାର ଗୃହରେ ରଖିବାର ବ୍ୟବସ୍ଥା ରହିଛି।
ଦିଲ୍ଲୀ ହାଇକୋର୍ଟ ତା’ର ମୁକ୍ତି ଉପରେ ରହିତାଦେଶ ଜାରି କରିବାକୁ ମନା କରି ଦେବା ପରେ ସେ ସୁଧାରଗୃହରୁ ବାହାରିବା ନିଶ୍ଚିତ ହୋଇଯାଇଥିଲା। ତେବେ ତାକୁ ମୁକ୍ତି ନ ଦେବା ପାଇଁ ଶନିବାର ରାତିପ୍ରାୟ ଗୋଟାଏ ବେଳେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ। ରବିବାର ନାବାଳକ ଅପରାଧୀ ମୁକ୍ତି ପାଇବାକୁ ଥିବାରୁ ଶନିବାର ରାତିରେ ହିଁ ମାମଲାର ଶୁଣାଣି ଲାଗି ପ୍ରାର୍ଥନା କରି କୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହି ପିଟିସନ୍ ଦାଖଲ ହୋଇଥିଲା। ରେଜିଷ୍ଟ୍ରାର ମହିଳା କମିଶନଙ୍କ ପକ୍ଷରୁ ଦିଆଯାଇଥିବା ଏହି ଆବେଦନକୁ ଗ୍ରହଣ କରି ଏ ସଂପର୍କିତ ନିଷ୍ପତ୍ତି ନେବା ଲାଗି ବିଚାରପତି ଜଷ୍ଟିସ୍ ଏ.କେ.ଗୋଏଲଙ୍କ ନିକଟକୁ ପଠାଇଥିଲେ। ତେବେ ନାବାଳକ ଅପରାଧୀର ଆଜି ହେବାକୁ ଥିବା ମୁକ୍ତି ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରି ଦେଇଥିଲେ। ସୋମବାର ଏହି ମାମଲାର ଶୁଣାଣି କରାଯିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ନିର୍ଭୟାର ବାପା ମାଆ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ତାଙ୍କର ମୃତ ଝିଅକୁ ନ୍ୟାୟ ପ୍ରଦାନ କରିବା ଓ ନାବାଳକ ଦୋଷୀର ମୁକ୍ତି ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ସେମାନେ କହିଛନ୍ତି ଜାଣିଶୁଣି କେବଳ ଲୋକଙ୍କୁ ବିଭ୍ରାଟ କରିବା ପାଇଁ ଦିଲ୍ଲୀ ମହିଳା କମିଶନ ନାବାଳକର ମୁକ୍ତି ଉପରେ ରୋକ ଲଗାଇବାକୁ ଉଦ୍ୟମ କରିଥିଲେ। ମହିଳା କମିଶନର ଚାହିଁ ଥିଲେ ରାତିଅଧ ବଦଳରେ ଦିନବେଳେ ଉଦ୍ୟମ କରିପାରିଥାନ୍ତେ।