ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ନୀତି ଆୟୋଗ ୨୦୨୨ ସୁଦ୍ଧା ଏକ ନୂଆ ଭାରତର ପରିକଳ୍ପନା କରିଛି। ଏଥିରେ ଦେଶ ଦାରିଦ୍ର୍ୟ ଓ ଦୁର୍ନୀତିମୁକ୍ତ ହୋଇଥିବ ବୋଲି ଆଶା ରଖିଛନ୍ତି ସରକାର। ସେତବେଳକୁ ଜାତୀପ୍ରଥା, ଆତଙ୍କବାଦ, ସମ୍ପ୍ରଦାୟିକତା ଭଳି କୁତ୍ସିତ ପ୍ରଥା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଲୋପ ହୋଇସାରିଥିବ ବୋଲି ଆୟୋଗ ପକ୍ଷରୁ ଉପସ୍ଥାପିତ ଦସ୍ତାବେଜ୍ରେ ଦର୍ଶାଯାଇଛି।
ଗତ ମାସରେ ଆୟୋଜିତ ରାଜ୍ୟପାଳ ସମ୍ମିଳନୀରେ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର ‘New India @2022’ ଦସ୍ତାବେଜ୍ ଉପସ୍ଥାପନ କରିଥିଲେ। ଯାହାକୁ ଆଧାର କରି ଏହି କଥା କୁହାଯାଉଛି। ଯଦି ଭାରତୀୟ ଅର୍ଥ ବ୍ୟବସ୍ଥାରେ ୨୦୪୭ ପର୍ଯ୍ୟନ୍ତ ବାର୍ଷିକ ୮ପ୍ରତିଶତ ଲେଖାଏଁ ଅଭିବୃଦ୍ଧି ଘଟେ ତେବେ ଆଗାମୀ ଦିନରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ ସମୃଦ୍ଧ ରାଷ୍ଟ୍ର ତାଲିକାରେ ସାମିଲ ହୋଇପାରିବ। ଏହି ଭିଜନ ମୁତାବକ ଦେଶର ସମସ୍ତ ପ୍ରାନ୍ତରେ ପର୍ଯ୍ୟାପ୍ତ ପରିମାଣର ସ୍ୱାସ୍ଥ୍ୟକର ଖାଦ୍ୟ ମହଜୁଦ୍ ରଖାଯିବ। ଯାହାକି ୨୦୨୨ ସୁଦ୍ଧା ଭାରତକୁ କୁପୋଷଣ ମୁକ୍ତ ଦେଶ ଭାବେ ବିଶ୍ୱରେ ପରିଚିତ କରାଇବାକୁ ସହାୟକ ହେବ।
୨୦୧୯ ବେଳକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମୁତାବକ ଦେଶର ସମସ୍ତ ଅଞ୍ଚଳକୁ ଗମନାଗମନ ବ୍ୟବସ୍ଥାର ସୁଦୃଢିକରଣ କରାଯିବ। ଉପର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୨୦ଟି ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ମଧ୍ୟ ଦେଶରେ ସ୍ଥାପନ କରାଯିବ। ସହିପରି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ବ୍ୟବସ୍ଥା ଅନୁଯାୟୀ ଚୟନ ହୋଇଥିବା ସମସ୍ତ ଗ୍ରାମକୁ ୨୦୨୨ ସୁଦ୍ଧା ଆଦର୍ଶ ଗ୍ରାମ ଭାବ ଉପସ୍ଥାପିତ କରିବାକୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଦସ୍ତାବେଜ୍ରେ ସ୍ପଷ୍ଟ ହୋଇଛି।