ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ନୂଆ ଆଶା ସୃଷ୍ଟି କରିଥିବା ପ୍ଲାଜମା ଥେରାପିକୁ ଆଜି କେନ୍ଦ୍ର ସରକାର ରେଡ ସିଗ୍ନାଲ ଦେଖାଇଛନ୍ତି। ଏହାର ଅର୍ଥ ବର୍ତ୍ତମାନ କରୋନା ରୋଗୀଙ୍କ ଉପରେ ମନଇଚ୍ଛା କରୋନା ଥେରାପି କରାଯାଇ ପାରିବ ନାହିଁ।
ପୂର୍ବରୁ ଦିଲ୍ଲୀରେ କିଛି ରୋଗୀଙ୍କ ଉପରେ ପ୍ଲାଜମା ଥେରାପି କରାଯିବାରୁ ସେମାନେ କରୋନାରୁ ମୁକ୍ତି ପାଇଥିଲେ। ଏହାପରେ ଏକାଧିକ ରାଜ୍ୟ କରୋନାର ମୁକାବିଲା ପାଇଁ ପ୍ଲାଜମା ଥେରାପି ଆପଣାଇବାକୁ ଘୋଷଣା କରିଥିଲେ। ହେଲେ ଆଜି ଏହି ସବୁ ଯୋଜନା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ପ୍ଲାଜମା ଥେରାପି ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି। କେବଳ ଗବେଷଣା ପାଇଁ ଏହା ଉର୍ଦ୍ଦିଷ୍ଟ। କୋଭିଡି-୧୯ ରୋଗୀଙ୍କ ଉପରେ ଏହାର ବ୍ୟବହାର କରାଯାଇ ସେମାନଙ୍କୁ ଆଶ୍ୱସ୍ତ ପ୍ରଦାନ କରାଯାଇ ପାରିବ ବୋଲି କୌଣସି ପ୍ରମାଣ ମିଳିନାହିଁ। ପ୍ଲାଜମା ଥେରାପିର ବ୍ୟବହାର ପାଇଁ କୌଣସି ଅନୁମତି କାହାକୁ ବି ଦିଆଯାଇ ନାହିଁ।
ଆଇସିଏମଆର ଜାତୀୟ ସ୍ତରରେ ଏହାର ସର୍ଭେ ଆରମ୍ଭ କରିଛି। ସର୍ଭେ ବେଳେ ଏହା କୋଭିଡ-୧୯ ରୋଗୀଙ୍କ ଉପରେ ବ୍ୟବହାର କରାଯାଇ ପାରିବ କି ନାହିଁ, ତା’ର ପ୍ରମାଣ ମିଳିବ। ସେତବେଳ ଯାଏ ଏହାର ବ୍ୟବହାର ବେଇଆଇନ
ଆଇସିଏମଆର ଏହାର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଛି। ଏହା କେବଳ ଏକ ଗବେଷଣା ପଦ୍ଧତି। ଚିକିତ୍ସା ପଦ୍ଧତିରେ ଏହାର ବ୍ୟବହାର ନେଇ କିଛି ବି ସ୍ପଷ୍ଟ କରାଯାଇନାହିଁ। ଯଦି ପ୍ଲାଜମା ଥେରାପିକୁ ଠିକ ଭାବେ ବ୍ୟବହାର କରା ନଯାଏ, ତା’ହେଲେ ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଆଇସିଏମଆରର ଠିକ ଗାଇଡଲାଇନ ଅନୁଯାୟୀ ଏହାକୁ ବ୍ୟବହାର କରିବାକୁ ପଡ଼ିବ। ଏଯାଏ କରୋନା ପାଇଁ କୌଣସି ଥେରାପି ବ୍ୟବସ୍ଥା ହୋଇନାହିଁ ବୋଲି ସେ କହିଛନ୍ତି।
କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଠାରୁ ପ୍ରଥମେ ପ୍ଲାଜମା ସଂଗ୍ରହ କରାଯାଏ। ଏହାପରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଉପରେ ଏହାର ପ୍ରୟୋଗ କରାଯାଏ। କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକ ଥିବାରୁ ସେମାନଙ୍କର ପ୍ଲାଜମା କରୋନାରେ ଅକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ଲାଭ ଦାୟକ ହୋଇଥାଏ ବୋଲି ଡାକ୍ତରମାନେ କହିଥିଲେ।
ଏହାପରେ ଦିଲ୍ଲୀର ୬ ଜଣ ଲୋକଙ୍କୁ ପ୍ଲାଜମା ଥେରାପି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣେ ୪୯ ବର୍ଷୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।