ନୂଆଦିଲ୍ଲୀ: ସର୍ବସାଧାରଣରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନ ପନ୍ଧିଲେ ଜୋରିମାନାର ବ୍ୟବସ୍ଥା ହୋଇଛି। ତେବେ ଆପଣ ଯଦି ଏକୁଟିଆ ନିଜ ଗାଡ଼ି ଚଳାଇ ଯାଉଛନ୍ତି, ତା’ହେଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଯଦି ଜଣେ ବ୍ୟକ୍ତି ଏକୁଟିଆ ନିଜ ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ହେଲେ ତାଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆମେ କେବେ ବି କହିନାହୁଁ। ଗ୍ରୁପ୍ରେ ସାଇକେଲିଂ, ରନିଂ କିମ୍ବା ଜଗିଂ କରୁଥିଲେ ମାସ୍କ ପିନ୍ଧିବା ଜରୁରୀ। ଏହି ସବୁ କାମ ଏକୁଟିଆ କରିବା ବେଳେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେବେ ହେଲେ ଏଭଳି ନିର୍ଦ୍ଦେଶନାମା ଜାରି କରିନାହିଁ। ଗ୍ରୁପ୍ରେ ଏସବୁ କାମ କରିବା ବେଳେ ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସମଗ୍ର ବିଶ୍ୱ ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ସବୁଠାରୁ କମ ରହିଛି। ପ୍ରତି ୧୦ ଲକ୍ଷ ଲୋକରେ ଭାରତରେ କରୋନା ଯୋଗୁ ୪୯ ଜଣଙ୍କ ମୃତ୍ୟୁ ଘଟୁଛି। ହେଲେ ବିଶ୍ୱରେ ଏହି ସଂଖ୍ୟା ଅଧିକ ରହିଛି। ସେହିପରି କରୋନା ଆକ୍ରାନ୍ତ ଚିହ୍ନଟରେ ମଧ୍ୟ ଭାରତ ବିଶ୍ୱରେ ସବୁଠାରୁ ତଳେ ରହିଛି। ପ୍ରତି ୧୦ ଲକ୍ଷରେ ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫୯ ରହିଥିବା ବେଳେ ଭାରତରେ ଏହା ୨୭୯୨ ରହିଛି।