ଜେନେଭା: ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକ ଓଲ୍ଗା ଟୋକାର୍ଜକ୍ଙ୍କୁ ମନୋନୀତ କରାଯାଇଛି। ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। ଫଳରେ ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକେ ପଦ ଛାଡ଼ିବାକୁ ପଡ଼ିଥିଲା। ଏଭଳି ବିବାଦ ପରେ ୨୦୧୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ବନ୍ଦ କରାଯାଇଥିଲା।
ସାହିତ୍ୟ ଦୁନିଆରେ ଶ୍ରେଷ୍ଠ ପୁରସ୍କାର ମନେ କରାଯାଉଥିବା ଏହି ପୁରସ୍କାର ୧୯୦୧ରୁ ଆଜିଯାଏ ୧୧୪ ଜଣଙ୍କୁ ମିଳିସାରିଛି। ସେମାନଙ୍କ ମଧ୍ୟରୁ ମାତ୍ର ୧୪ ଜଣ ମହିଳା।
ତେବେ ଗତ ବର୍ଷର ବିବାଦର କେନ୍ଦ୍ରରେ ଥିଲେ ଜିନ୍ କ୍ଲାଉଡି ଆର୍ଣ୍ଣଲ୍ଟ ନାମକ ଜଣେ ସ୍ୱେଡିସ୍ ଫଟୋଗ୍ରାଫର। ୧୨ରୁ ଊର୍ଦ୍ଧ୍ୱ ମହିଳା ତାଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେହି ସମୟରେ ସମଗ୍ର ବିଶ୍ୱରେ ମି-ଟୁ ଆନ୍ଦୋଳନ ଶୀର୍ଷରେ ଥାଏ। ୨୦୧୮ ମସିହାରେ ସେ ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଯାଇଥିଲେ।
ଏହି ପୁରସ୍କାର ସହ ତାଙ୍କର ସମ୍ପର୍କ ହେଉଛି ତାଙ୍କ ପତ୍ନୀ ତଥା ସ୍ୱିଡେନ୍ର କବି ମାଟାରିନା ଫ୍ରଷ୍ଟେନ୍ସନ୍ ଗତ ବର୍ଷ ନୋବେଲ ସାହିତ୍ୟ କମିଟିର ସଦସ୍ୟ ଥିଲେ। ଏତଦ୍ବ୍ୟତୀତ ଆର୍ଣ୍ଣଲ୍ଟଙ୍କ ଏକ ଆର୍ଟକ୍ଲବ୍ ପାଇଁ ସ୍ୱେଡିସ୍ ଏକାଡେମୀ ଅର୍ଥ ଦେଇଥିଲା, ଯାହାକି ନୋବେଲ ସାହିତ୍ୟ ପୁରସ୍କାର ଦେଇଥାଏ। ଆହୁରି ମଧ୍ୟ ଅଭିଯୋଗ ଆସିଥିଲା ଆର୍ଣ୍ଣଲ୍ଟ ନୋବେଲ ସାହିତ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥାଇ ପାରନ୍ତି।
ଏହାପରେ ଏକାଡେମୀର କମିଟି ପୁନର୍ଗଠିତ ହୋଇଥିଲା। ଏତଦ୍ବ୍ୟତୀତ ବିଜେତାଙ୍କୁ ବାଛିବାର ପ୍ରକ୍ରିୟା ମଧ୍ୟ ବଦଳିଥିଲା। ଆଲଫ୍ରେଡ୍ ନୋବେଲଙ୍କ ନାମ ଅନୁଯାୟୀ ଦିଆଯାଉଥିବା ୫ଟି ସମ୍ମାନ ମଧ୍ୟରୁ ସାହିତ୍ୟ ଅନ୍ୟତମ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।