ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସାରା ଦେଶରେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ-ଏନ୍ସିଆରରେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ସଂଖ୍ୟା ବଢ଼ିବା ଦେଖି ନୋଏଡାର ସମସ୍ତ ସ୍କୁଲରେ ସକାଳ ପ୍ରାର୍ଥନା ବନ୍ଦ କରି ଦିଆଯାଇଛି। ସକାଳେ ହେଉଥିବା ପ୍ରାର୍ଥନା ସଭାକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ସମସ୍ତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ନିର୍ଦ୍ଦେଶରେ କୁହାଯାଇଛି,“ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀମାନେ ଗୋଟିଏ ଜାଗାରେ ଏକତ୍ର ହୋଇଥାନ୍ତି। ଫଳରେ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ଥିବା ଛାତ୍ରଛାତ୍ରୀ କାଶିବା କିମ୍ୱା ଛିଙ୍କିବା ଦ୍ୱାରା ଅନ୍ୟମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି।”
ଗୌତମବୁଦ୍ଧ ନଗରର ସିଏମ୍ଓ ଅନୁରାଗ ଭାର୍ଗବ କହିଛନ୍ତି,“ସକାଳ ପ୍ରାର୍ଥନା ସମୟରେ ସ୍କୁଲରେ ସ୍ୱାଇନ୍ ଫ୍ଲୁ ବ୍ୟାପିବାର ଆଶାଙ୍କା ଯଥେଷ୍ଟ ଥାଏ। ସେହିପରି ଆଜିକାଲି ଅନେକ ଘରୋଇ ସ୍କୁଲରେ ସେଣ୍ଟ୍ରାଲାଇଜ୍ଡ ଏସି ଲାଗିଛି। ଏଥିଯୋଗୁଁ ମଧ୍ୟ ଉକ୍ତ ସ୍କୁଲ ଗୁଡିକରେ ସ୍ୱାଇନ୍ ଫ୍ଳୁ ବ୍ୟାପିବାର ବିପଦ ଥାଏ। ତେବେ ଏପର୍ଯ୍ୟନ୍ତ ଏହା ଉପରେ କୌଣସି କଟକଣା ଲଗାଯାଇନାହିଁ।”