ମୁମ୍ୱାଇ: ମହାରାଷ୍ଟ୍ରରେ ଟିଆରପି ସ୍କାମର ତଦନ୍ତ କରିପାରିବନି ସିବିଆଇ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ସିବିଆଇକୁ ଦିଆଯାଇଥିବା 'ସାଧାରଣ ସମ୍ମତି' ପ୍ରତ୍ୟାହାର କରି ନେଇଛନ୍ତି। ବିଭିନ୍ନ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏହି ସମ୍ମତି ପ୍ରଦାନ କରନ୍ତି। ତେବେ ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସିବିଆଇ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ତଦନ୍ତ କରିପାରିବନି। ଟିଆରପି ସ୍କାମ୍ ମାମଲାର ତଦନ୍ତ ମୁମ୍ୱାଇ ପୁଲିସ କରୁଛି। ତେଣୁ ଆଉ ଏକ ତଦନ୍ତକାରୀ ସଂସ୍ଥା କରିବା ଠିକ୍ ନୁହେଁ ବୋଲି ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ଉତ୍ତରପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ସିବିଆଇ ଟିଆରପି ସ୍କାମରେ ଏଫଆଇଆର ଦାଖଲ କରିବାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ବୁଧବାର ଦିନ ଆସିଛି। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଷ୍ଟେସନରେ ଟିଆରପି ସ୍କାମ ମାମଲାରେ ଏକ ବିଜ୍ଞାପନ କମ୍ପାନୀର ପ୍ରମୋଟର ଅଭିଯୋଗରେ ଏଫଆଇଆର ଦେଇଥିଲେ। ପରେ ୟୁପି ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ ଏବଂ ସିବିଆଇ ମଧ୍ୟ ମଙ୍ଗଳବାର ଦିନ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲା।
ତେବେ ମହାରାଷ୍ଟ୍ର ସିବିଆଇଠୁ ନିଜର 'ସହମତି' ପ୍ରତ୍ୟାହାର କରିବାରେ ଦେଶର ଚତୁର୍ଥ ଅଣ-ବିଜେପି ଶାସିତ ରାଜ୍ୟ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ମଧ୍ୟ ବିଭିନ୍ନ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରି ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।